ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ରାଜ୍ୟରେ କମିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ | ଅସହ୍ୟ ଗରମରେ କଲବଳ ରାଜ୍ୟବାସୀ | ସକାଳ ୯ଟାରୁ ଆକାଶରୁ ନିଆଁ ବର୍ଷିଲା ଭଳି ଗ୍ରୀଷ୍ମ ଜ୍ୱାଳା ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଜନଜୀବନ । ଚଳିତବର୍ଷ ପ୍ରଥମ ଥର ପାଇଁ ବୁଧବାର ପାରଦ ୪୪.୫ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ଏଭଳି ତାତିରେ ହୁତହୁତ ହୋଇ ଜଳୁଥିଲା ସୋନପୁର ସହର । ଏହାସହ ସୋନପୁର ପୁଣି ଥରେ ରାଜ୍ୟର ସବୁଠୁ ତତଲା ସହର ପାଲଟିଲା । ରାଜ୍ୟର ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା ବୁଧବାର । ୬ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଡେଇଁଥିଲା । ଏମିତି ଅସ୍ୱାଭାବିକ ଗରମରେ ସାରା ରାଜ୍ୟ ସନ୍ତୁଳି ହେଉଥିବାବେଳେ ଗୁରୁବାରଠାରୁ ହାଲୁକା ଆଶ୍ୱସ୍ତି ମିଳିପାରେ ଗ୍ରୀଷ୍ମ ପ୍ରକୋପରୁ ।

ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ଦୁଇଦିନ ଭିତରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । କେତେକ ଜାଗାରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଫଳରେ ଗରମରୁ ଟିକିଏ ଆଶ୍ୱସ୍ତି ମିଳିପାରେ । ମାତ୍ର ୨୪ ତାରିଖରୁ ପୁଣି ଗରମ ବଢ଼ିବ । ତାପମାତ୍ରା ପୁଣି ୨-୩ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ସହ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିବ ।

ଗୁରୁବାର କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ଜାଗାରେ ଧୂଳିଝଡ଼, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ଆଶଙ୍କା ଅଛି । ଏହାବାଦ୍‌ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଟକ, ଅନୁଗୁଳ, ନୟାଗଡ଼ରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପବନ ହୋଇପାରେ । ୨୨ ତାରିଖରେ (ଶୁକ୍ରବାର) ଉପକୂଳ ଓଡ଼ିଶା ସହ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା, ପବନ, ଘଡ଼ଘଡ଼ି ଆଶଙ୍କା ରହିଛି । ଶନିବାର କାଳବୈଶାଖୀ ପ୍ରକୋପ ଜାରି ରହିବ । ରବିବାରଠାରୁ କାଳବୈଶାଖୀ ପ୍ରକୋପ କମିବା ସହ ପୁଣି ଗରମ ବଢ଼ିବ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ସୋନପୁର ପଛକୁ ବଲାଙ୍ଗିର ତାପମାତ୍ରା ୪୪ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ଟିଟିଲାଗଡ଼ରେ ପାରଦ ୪୩ ଡିଗ୍ରୀରେ ପହଞ୍ଚିଥିଲା । ୧୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବାବେଳେ ଅନୁଗୁଳ ୪୨.୧, ବାରିପଦା ୪୦.୪, କେନ୍ଦୁଝର ୪୦.୬, ସମ୍ବଲପୁର ୪୨.୪, ହୀରାକୁଦ ୪୧, ଭବାନୀପାଟଣା ୪୧.୫, ତାଳଚେର ୪୧.୪, ଭଦ୍ରକ ୪୦.୫, ବରଗଡ଼ ୪୦.୬, ନୂଆପଡ଼ା ୪୧.୫, ନୟାଗଡ଼ ୪୦, ପାରଳାଖେମୁଣ୍ଡି ୪୦.୮, ମାଲକାନଗିରି ୪୦ ଡିଗ୍ରୀ ତାତିରେ ଛଟପଟ ହୋଇଥିଲା ।

ସେପଟେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉକ୍ରଟ ହେଉଛି ଜଳ ସମସ୍ୟା । ଲୋକଙ୍କୁ ପିଇବା ପାଣି ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗିରା ଗାଁ ଲୋକେ ପାଣି ପାଇଁ ଦୁଇ କିଲୋମିଟର ପାହାଡ଼ ଚଢୁଛନ୍ତି । ସେହିପର କେନ୍ଦ୍ରାପଡା ଅବଦୁଲପୁରୁ ଗାଁରେ ପାଣି ପାଇଁ ରାତି ୩ଟାରୁ ଲମ୍ବା ଲାଇନ ଦେଉଛନ୍ତି ମହିଳା |

Related Posts