ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ; ବେଶ୍ ସାର୍ଥକ ରହିଲା ତିନିଦିନିଆ ୟୁରୋପ ଗସ୍ତ

ନୂଆଦିଲ୍ଲୀ: ନିଜ ଦେଶ ବା ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ୟୁରୋପର ତିନି ଦେଶ ଗସ୍ତ ସାରି ଗୁରୁବାର ଦିନ ସେ ସ୍ବଦେଶ ଫେରିଛନ୍ତି । ତେବେ ତାଙ୍କ ସ୍ୱଦେଶ ଫେରିବା ପରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଆରିନ୍ଦମ ବାଗଚୀ ଟ୍ବିଟ୍ କରି ଏନେଇ ସୂଚନା ଦେଇଛନ୍ତି | ଏହାସହ ସେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ବେଳେ ବିମାନ ଉପରେ ଥାଇ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଟ୍ବିଟ୍‌ରେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ତିନି ଦିନରେ ତିନୋଟି ଦେଶ ଗସ୍ତ ବେଶ୍ ସାର୍ଥକ ରହିଛି ।’

ଏହି ଯାତ୍ରା ଦ୍ବାରା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କ ଆହୁରି ଆଗକୁ ବଢିଛି । ନୂତନ ସବୁଜ ସହଭାଗିତା ସୃଷ୍ଟି କରିବା ସହ ନବସୃଜନ ଏବଂ ଦକ୍ଷତା ବିକାଶରେ ସହଯୋଗ ବଢିଛି । ଏହାସହ ୟୁରୋପୀୟ ଅଂଶୀଦାରମାନଙ୍କ ସହ ସହଯୋଗକୁ ଆହୁରି ଗଭୀର କରିବାର ସୁଯୋଗ ମିଳିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଥିଲେ ଯେ, ତାଙ୍କର ଫ୍ରାନ୍ସ ଗସ୍ତ ଅତ୍ୟନ୍ତ ସାର୍ଥକ ହୋଇଛି । ସେ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ‘ମୋର ଫ୍ରାନ୍ସ ଗସ୍ତ ସଂକ୍ଷିପ୍ତ କିନ୍ତୁ ଅନ୍ୟନ୍ତ ସାର୍ଥକ ରହିଲା । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ମୋତେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ମିଳିଲା । ଭବ୍ୟ ସ୍ବାଗତ ପାଇଁ ମାକ୍ରୋନ୍‌ଙ୍କୁ ଏବଂ ଫ୍ରାନ୍ସ ସରକାରଙ୍କୁ ମୁଁ କୃତଜ୍ଞତା ଜଣାଉଛି ।’

ମୋଦି ୟୁରୋପର ତିନି ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ଡେନମାର୍କରୁ ପ୍ୟାରିସକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ବୁଧବାର ଦିନ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଭେଟି ଦ୍ବିପାକ୍ଷିକ ଏବଂ ପାରସ୍ପରିକ ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ଉଭୟ ୟୁକ୍ରେନ ବିରୋଧରେ ଋଷ୍‌ର ସାମରିକ କାର୍ଯ୍ୟାନୁଷ୍ଠାନକୁ ନଜରରେ ରଖି ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ବିଚାରବିମର୍ଷ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏଲିସି ପ୍ୟାଲେସରେ ମୋଦି ଏବଂ ମାକ୍ରୋନ୍ ଏକାକୀ ଆଲୋଚନା ମଧ୍ୟ କରିଥିଲେ । ମୋଦିଙ୍କ ଏହି ଗସ୍ତ ୟୁକ୍ରେନ୍ ସଙ୍କଟ ମଧ୍ୟରେ ଏବଂ ଏଭଳି ସମୟରେ ହେଉଛି ଯେତେବେଳେ ଋଷ୍ ବିରୋଧରେ ୟୁରୋପ ଏକଜୁଟ ହୋଇଛି ।

Related Posts