ଅନ୍ତରୀକ୍ଷରୁ ନିଆଯାଇଥିବା ଗୁଜରାଟର ଛବି ସୋସିଆଲ ମିଡିଆରେ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଜାରୀ ରହିଛି ପ୍ରଚାର। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜ୍ୟରେ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି ପ୍ରଚାର କାଳରେ ପ୍ରଧାନମନ୍ତ୍ରୀ ଅନ୍ତରୀକ୍ଷରୁ ନିଆଯାଇଥିବା ଗୁଜରାଟର ଛବି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଙ୍କ ଦ୍ୱାରା ନିକଟରେ ମହାକାଶକୁ ପଠାଯାଇଥିବା ଇଓଏସ୍-୦୬ଦ୍ୱାରା ଉତ୍ତୋଳିତ ଗୁଜରାଟର ୪ଟି ଛବିକୁ ତାଙ୍କ ଟ୍ୱିଟରରୁ ସେୟାର କରିଛନ୍ତି। ସବୁ ଛବି ୨୬ ନଭେମ୍ବର ୨୦୨୨ର ଓ ସେହି ଦିନ ଉପଗ୍ରହ ମହାକାଶରୁ ଫଟୋଚିତ୍ର ପଠାଇଥିଲା। ଏହାକୁ ସେୟାର କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଇଓଏସ୍-୦୬ରୁ ନିଆଯାଇଥିବା ଏହି ଛବିଗୁଡିକୁ ଦେଖିଲେଣି? ସ୍ପେସ୍‌ ଟେକ୍ନୋଲଜିର ଦୁନିଆରେ ଏହି ପ୍ରଗତି ଆମକୁ ଘୂର୍ଣ୍ଣିବାତ୍ୟାର ଉନ୍ନତ ଭବିଷ୍ୟବାଣି କରିବା ସହ ଆମ ଉପକୂଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ସହାୟତା କରିବ ।

ଉଲ୍ଲେଖଯୋଗ୍ୟ ଯେ ଇଓଏସ୍-୦୬ ଓସନ ସ୍ୟାଟ୍ ସିରିଜର ତୃତୀୟ ପୀଢି ଉପଗ୍ରହ। ଓସନ ସ୍ୟାଟ୍-୨କୁ ସେପ୍ଟେମ୍ବର ୨୦୦୯ରେ ମହାକାଶକୁ ପ୍ରେରଣ କରାଯାଇଥିଲା। ତେବେ ଇଓଏସ୍ -୦୬ର ଓଜନ ୧,୧୧୭ କିଲୋଗ୍ରାମ। ଏହି ଉପଗ୍ରହର କାମ ସମୁଦ୍ର ପୃଷ୍ଠର ତାପମାତ୍ରା ମନିଟରିଂ କରିବା। ଏହା ସହୟତାରେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଉପରେ ନଜର ରଖାଯାଇ ପାରିବ, ସାଙ୍ଗକୁ ବାତ୍ୟା ନେଇ ସଠିକ ଭବିଷ୍ୟତବାଣୀ କରାଯାଇ ପାରିବ। ଏହା ଛଡା ଉପଗ୍ରହ ସମୁଦ୍ର ଉପକୂଳ ଅଞ୍ଚଳରେ ସଂସାଧନ ଅନୁସଂଧାନରେ ମଧ୍ୟ ସହାୟକ ହେବ। ଫଳରେ ଉପକୂଳ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ।

Related Posts