ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ର ପ୍ରାର୍ଥୀ ଚୟନ କମିଟି ବୈଠକ, ବି ଏମ୍ ସି ମେୟର ଦୌଡ଼ରେ ରଶ୍ମି, ମଧୁସ୍ମିତା ଓ ସୁଭଦ୍ରା

ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ। ଏବେ ପୌର ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି। ସେପଟେ ପଞ୍ଚାୟତ ନିର୍ବାଚନର ଭୁଲ୍ କୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଏନେଇ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ବିଶେଷକରି ତିନି ମହାନଗରରେ ଦଳ ଯେପରି ଉନ୍ନତ ପ୍ରଦର୍ଶନ କରିବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବରିଷ୍ଠ ନେତାମାନଙ୍କ ମାର୍ଗଦର୍ଶନରେ କଂଗ୍ରେସ କାର୍ଯ୍ୟପନ୍ଥା ଗ୍ରହଣ କରିବ।

ତିନି ମହାନଗର ନିଗମ ପାଇଁ ପ୍ରର୍ଥୀ ଚୟନ କରିବାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ସମେତ ୨୦ ଜଣ ସଦସ୍ୟ ରହିଛନ୍ତି। କଟକ, ଭୁବନେଶ୍ବର ଓ ବ୍ରହ୍ମପୁର କଂଗ୍ରେସ ସଭାପତି ଏହି କମିଟିରେ ସ୍ଥାନ ପାଇଛନ୍ତି। କମିଟିର ପ୍ରଥମ ବୈଠକ ବୁଧବାର ବସିବ। ଏଥିରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ ବୋଲି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାଶ କହିଛନ୍ତି।

କଂଗ୍ରେସ ଏକାକୀ ବିଏମ୍‌ସି ନିର୍ବାଚନକୁ ଓହ୍ଲାଇବ। ସିପିଆଇ (ଏମ୍‌)କୁ ଦୁଇଟି ୱାର୍ଡ ଛାଡ଼ିବାକୁ ଆଲୋଚନା ହେଉଥିଲା। ମାତ୍ର ଦଳ ସେଥିରେ ସହମତି ହୋଇନାହିଁ। ସବୁ ୱାର୍ଡରେ ପ୍ରାର୍ଥୀ ଦିଆଯିବ ବୋଲି ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି। ମେୟର୍‌ ପ୍ରାର୍ଥୀ ଦୌଡ଼ରେ କଂଗ୍ରେସରୁ ତିନିଜଣ ମହିଳା ସାମିଲ ହୋଇଛନ୍ତି। ସେମାନେ ହେଲେ ରଶ୍ମି ମହାପାତ୍ର, ମଧୁସ୍ମିତା ପଣ୍ଡା ଓ ସୁଭଦ୍ରା ମିଶ୍ର। ଏହି ପଦବିରେ ଲଢ଼ିବା ପାଇଁ ସେମାନେ ନିଜ ଆଡ଼ୁ ଆଗ୍ରହ ଦେଖାଇବା ସହ ଆବେଦନ ମଧ୍ୟ କରିଛନ୍ତି।

ଏନେଇ ଆଜି ପ୍ରାର୍ଥୀ ଚୟନ କମିଟି ବୈଠକରେ ଆଲୋଚନା ହେବ ।

Related Posts