ଜଏଣ୍ଟ ତଦନ୍ତ କମିଟି ରିପୋର୍ଟରେ ରହିଛି ଭୟଙ୍କର ତ୍ରୁଟିର ସୁରାକ

ଭୁବନେଶ୍ୱର,୫/୬(ସତ୍ୟପାଠ ବ୍ୟୁରୋ): ସାମ୍ନାକୁ ଆସିଲା ରେଳ ଦୁର୍ଘଟଣାର ବିଭାଗୀୟ ଜଏଣ୍ଟ ଇନସ୍ପେକସନ୍ ରିପୋର୍ଟ | ବାହାନଗା ଠାରେ କରମଣ୍ଡଳ ଓ ବେଙ୍ଗାଳୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ୫ ଜଣିଆ କମିଟି ଦେଇଥିବା ତଦନ୍ତ ରିପୋର୍ଟରେ ରହିଛି ଷଡ଼ଯନ୍ତ୍ରର ସୁରାକ | ସତ୍ୟପାଠ ନ୍ୟୁଜର ହସ୍ତଗତ ହୋଇଥିବା ରେଲୱେର ଜଏଣ୍ଟ ଇନିସ୍ପେକସନ ରିପୋର୍ଟରେ ଯେଉଁ ଧାଡ଼ିକିଆ ପର୍ଯ୍ୟବେକ୍ଷଣ ରହିଛି ତାହାରି ଭିତରେ ହିଁ ରହିଛି ଷଡ଼ଯନ୍ତ୍ରର ଭୟଙ୍କର ସନ୍ଦେହ |

ଗତ ୯ ତାରିଖ ସଂଧ୍ୟା 6.55 ମିନିଟ ସମୟରେ ବାହାନଗା ଷ୍ଟେସନ ନିକଟରେ ଘଟିଲା ଏକବିଂଶ ଶତାବ୍ଦୀର ସବୁଠୁ ଭୟଙ୍କର ଟ୍ରେନ ଦୁର୍ଘଟଣା | ଦୁର୍ଘଟଣା ଘଟିବାର 24 ଘଣ୍ଟା ମଧ୍ୟରେ ରେଳବାଇ ପକ୍ଷରୁ ଜେ.ଏନ ସୁବୁଦ୍ଧି, ଆର କେ ବାନାର୍ଜୀ, ଆରକେ ପଂଜାରା, ଏକେ ମହାନ୍ତଙ୍କୁ ନେଇ ଗଠିତ ଏକ ୫ ଜଣିଆ ତଦନ୍ତ କମିଟି ୩ ତାରିଖ ଦିନ ସରଜମିନ ଯାଞ୍ଚ ରିପୋର୍ଟ ଦାଖଲ କଲା |

ତେବେ ରିପୋର୍ଟର ଏହି ଧାଡି ଟିକୁ ନେଇ ପ୍ରଶ୍ନ ଉଠୁଛି ଯେ, UP ମେନ ଲାଇନ ପାଇଁ ସିଗନାଲ ଦେଇ ପୁଣି କାଢି ନିଆଗଲା କାହିଁକି ? ଯଦି ସିଗନାଲ କାଢି ନିଆଯାଇଥିଲା ତେବେ ତାହା ପ୍ୟାନେଲରେ ଡ୍ରାଇଭରକୁ ଭିଜିବଲ ହୋଇଥିଲା ନା ନାହିଁ ? ଯଦି ଅପ ଲୁପ ଲାଇନରେ ମାଲଗାଡ଼ିକୁ ପାର୍କିଂ କରାଯାଇଥିଲା ତେବେ ରୁଟ ରିଲେ ପ୍ୟାନେଲରେ କରମଣ୍ଡଳ ଏକ୍ସପ୍ରେସକୁ ଅପ ମେନ ଲାଇନରେ ଥ୍ରୁ ନକରି ଲୁପ ଲାଇନକୁ ପାସ କିଭଳି କରାଇଥିଲେ ?

ରେଲୱେ ଟ୍ରାକ ସମସ୍ତ ସିଗନାଲିଂ ଗୋଟିଏ ପ୍ୟାନେଲରେ ଇଂଟରଲିଙ୍କଡ କରାଯାଇଥାଏ | ଯାହାଦ୍ୱାରା ଟ୍ରେନ ଡ୍ରାଇଭର ଜାଣିପାରେ ଯେ ଟ୍ରେନ କୁ ଧୀରେ କରିବ ନା ନିଜ ଗତିରେ ଚଲାଇବ | ଏଥିରୁ ଜଣାପଡୁଛି ଯେ ମାଲଗାଡ଼ିକୁ ଲୁପ ଲାଇନ ଛାଡିବା ପରେ, ପ୍ୟାନେଲ ସ୍ଵିଚ ଠିକ ଭାବରେ କାମ କରିନାହିଁ ଏବଂ ଟ୍ରାକ ଲୁପ ଲାଇନ ଆଡକୁ ରହିଛି ଅଥଚ ପ୍ୟାନେଲରେ ରିଲେ କରିଛି ଯେ ଏହା ମେନ ଲାଇନ ପାଇଁ ଠିକ ଅଛି |

ଏଥିରୁ ସ୍ପଷ୍ଟ ବୁଝାପଡୁଛି ଏହି ଇଂଟରଲକିଂ ସିଗନାଲିଂ ବ୍ୟବସ୍ଥାରେ କିଛି ଅଘଟଣ ଘଟାଯାଇଛି | ରେଲୱେ ବୋର୍ଡ ବର୍ତ୍ତମାନ ଘଟଣାର CBI ତଦନ୍ତ ପାଇଁ ଅନୁମତି ଦେଇଥିବାରୁ ଏହା ଏକ ବଡ଼ କାରଣ ବୋଲି ସନ୍ଦେହ କରାଯାଉଛି |

ତେବେ ଇଂଟରଲକିଂ ସିଗନାଲିଂ ସିଷ୍ଟମ ଦୁଇଟି କାରଣରୁ ତ୍ରୁଟି ହୋଇପାରେ ବୋଲି ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି- ପ୍ରଥମରେ ବିଦ୍ୟୁତ ସର୍ଟ ସର୍କିଟ ନଚେତ ଯଦି କେବଲ କଟିଯାଏ | ଏବେ କଥା ଉଠୁଛି ଯେ, ବାହାନଗା ଦୁର୍ଘଟଣା ପଛରେ ବିଦ୍ୟୁତ ସର୍ଟ ସର୍କିଟ ନା କେବଲ କଟିଯାଇଥିଲା ? ଏହା ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ? CBI ଉପରେ ବଡ଼ ଚାପ କି ଏହାର ସତ୍ୟ କୁ ଠିକଣା ସମୟରେ ସାମ୍ନାକୁ ଆଣୁଛି ନା ସମୟ ଗଡେଇ ସରକାରଙ୍କୁ ବଂଚାଉଛି |

Related Posts