ରୁଷ ଓ ଭାରତର ସମ୍ପର୍କ ଭଲ ଥିବାରୁ ମୋଦିଙ୍କୁ ସହଯୋଗ ମାଗିଲେ ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଉଭୟ ଦେଶ ପରସ୍ପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଭାରତର ସହାୟତା ଲୋଡ଼ିଛି ୟୁକ୍ରେନ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସହ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ । ଭାରତ ଓ ଋଷର ସମ୍ପର୍କ ଅତି ଭଲ, ତେଣୁ ଏହି ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ । ତେଣୁ ଭାରତର ପ୍ରଧାନମନ୍ତ୍ରୀ ତୁରନ୍ତ ଋଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରଦୂତ । ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ୟୁକ୍ରେନ୍ ପରିସ୍ଥିତି ଚିନ୍ତାଜନକ ରହିଛି, ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଯେଉଁଠି ଅଛ ସେଠି ସୁରକ୍ଷିତ ଓ ଶାନ୍ତ ଭାବେ ରୁହ । ହଷ୍ଟେଲ, ଘର, ଅସ୍ଥାୟୀ ଶିବିର ଯିିଏ ଯେଉଁଠି ଅଛ ସୁରକ୍ଷିତ ରୁହ । ଅନେକ ଭାରତୀୟଙ୍କୁ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଦ୍ୱାରା ଘରକୁ ଅଣାଯାଇଛି, କିନ୍ତୁ ଅନେକ ଭାରତୀୟ ଏବେ ମଧ୍ୟ ୟୁକ୍ରେନରେ ଅଛନ୍ତି । କୁହାଯାଉଛି ଯେ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ର ଅଛନ୍ତି । ସୂଚନାଯୋଗ୍ୟ ଯେ ଋଷର ରାଷ୍ଟ୍ରପତି ପୁଟିନ ଗୁରୁବାର ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ଏହି ବିସ୍ଫୋରଣ ଆରମ୍ଭ ହୋଇଛି । କ୍ଷେପଣାସ୍ତ୍ରରୁ ଆକ୍ରମଣ ହେବାର ଖବର ମଧ୍ୟ ଆସିଛି । ଏହାର ଜବାବରେ ୟୁକ୍ରେନ ମଧ୍ୟ ଋଷର ପାଞ୍ଚଟି ବିମାନକୁ ଗୁଳି ଚଳାଇଥିବା ଦାବି କରିଛି ।

Related Posts