ଜୁଲାଇ ୨୬ ରୁ ଖୋଲିବ ସ୍କୁଲ୍, ସକାଳ ୧୦ ଟାରୁ ୧.୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡର ତୃତୀୟ ଲହର ପୂର୍ବରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୨୬ ତାରିଖରୁ ଦଶମ-ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସକାଳ ୧୦ଟାରୁ ୧.୩୦ ଯାଏଁ କ୍ଲାସ୍ ହେବ। ରବିବାର ଓ ସମସ୍ତ ସରକାରୀ ଛୁଟିଦିନରେ ସ୍କୁଲ ବନ୍ଦ ରହିବ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଥମିକ ଭିତ୍ତିରେ ଟିକାଦାନ ହେବ । 

ଗଣଶିକ୍ଷା ସଚିବଙ୍କ ସୂଚନା ମୁତାବକ ସମସ୍ତ ସରକାରୀ , ବେସରକାରୀ ସ୍କୁଲ୍ ଖୋଲିବ ଏବଂ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ପରୀକ୍ଷା ପରେ ଖୋଲିବ। ତେବେ ସ୍କୁଲକୁ ଆସିବା ନିଷ୍ପତ୍ତି ପିଲାମାନଙ୍କର ଇଚ୍ଛା ଉପରେ ନିର୍ଭର କରିବ । ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲା ମାନେ ସ୍କୁଲକୁ ଆସିପାରିବେ ବୋଲି ଗଣଶିକ୍ଷା ସଚିବ ଶ୍ରୀ ସାହୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ  ଯଦି କେଉଁଠି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବ ତେବେ ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ସ୍କୁଲ ଖୋଲିବ।

    ଗଣଶିକ୍ଷା ସଚିବଙ୍କ ସୂଚନା ମୁତାବକ, ” ବର୍ତ୍ତମାନ ସିବିଏସ୍ଇ ଢାଞ୍ଚାରେ ନବମ ଏବଂ ଦଶମ ମୂଲ୍ୟାୟନ ହେବ । ଉଭୟ ନବମ ଓ ଦଶମ ଶ୍ରେଣୀରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍‌ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ସେପ୍ଟେମ୍ୱର ୨ୟ ସପ୍ତାହ , ନଭେମ୍ବର ପ୍ରଥମ ସପ୍ତାହରେ , ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ପରୀକ୍ଷା ହେବ । ଆସେସମେଣ୍ଟ ପରୀକ୍ଷା ଶେଷ ହେବା ପରେ  ଫାଇନାଲ ପରୀକ୍ଷା। ଯଦି ପୁଣି କୋଭିଡ୍‌ ନେଇ ପରୀକ୍ଷା କରି ନହୁଏ, ସେ ଢାଞ୍ଚାରେ ଫଳାଫଳ ପ୍ରକାଶ ପାଇବ। ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ।

   ଅପରପକ୍ଷରେ ଯଦି ପରିସ୍ଥିତି ଠିକ ରହିବ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଠ ପଢା ମଧ୍ୟ ଆରମ୍ଭ ହେବ ବୋଲି ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି । ସେହିପରି ସେପ୍ଟେମ୍ୱର ୧୫ ତାରିଖରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି। 

   ଜୁଲାଇ ୩୦ ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ କୋଭିଡ୍ କଟକଣା ଭିତରେ ମାଟ୍ରିକ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କ  କୋଭିଡ୍ ଟେଷ୍ଟ  କରାଯିବ ।  ମୋଟ ୨ ହଜାର ୪୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି  ।

Related Posts