ଭୁବନେଶ୍ୱର,୧୧l୧(ସତ୍ୟପାଠ ବ୍ୟୁରୋ): ଦୀର୍ଘଦିନ ପରେ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଧବଳେଶ୍ୱର ପୀଠ। ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ। ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।
ଆସନ୍ତା ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ତେବେ ନିର୍ମାଣଧୀନ ଅସ୍ଥାୟୀ ରାସ୍ତା କାମ ଯୁଦ୍ଧକାଳୀନ ଭିତିରେ ସରିଥିବାରୁ ଆଗୁଆ ଅନୁମତି ଦେଇଛି ପ୍ରଶାସନ। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।
ସୂଚନାଯୋଗ୍ୟ ଯେ, ବାବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲାପୋଲକୁ ଅସୁରକ୍ଷିତ ଦର୍ଶାଇ ଗତ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ୱରଙ୍କ ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା। ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲଗାଯାଇଥିଲା। ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ପକ୍ଷରୁ ଦାବି ହୋଇ ଆସୁଥିଲା।





