ଏବର୍ଷ ହୀରାକୁଦକୁ ଆସିଛନ୍ତି ରେକର୍ଡ ୧୦୮ ପ୍ରଜାତିର ୩.୧୬ ଲକ୍ଷ ବିଦେଶୀ ପକ୍ଷୀ

ଭୁବନେଶ୍ୱର,୧୧l୧(ସତ୍ୟପାଠ ବ୍ୟୁରୋ): ଶୀତ ଆରମ୍ଭରୁ ହୀରାକୁଦ ଜଳଭଣ୍ଡାର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଛି। ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ ବିଭିନ୍ନ ଦେଶରୁ ଆସିଥିବା ଗଣନା ପରେ ଜଣାପଡିଛି। ସେହିପରି ଚଳିତ ବର୍ଷ ଦଶଟି ନୂଆ ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି।

ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ଆସିଥିବା ପରିବ୍ରାଜକ ପକ୍ଷୀଙ୍କ ମଧ୍ୟରୁ ଲେସର-ହୁଇସିଲିଂ ଡକ୍‌ ୬୬,୭୧୨, ଟପଟେଡ଼ ଡକ ୮୪,୮୨୦ ଏବଂ କମନ କୁଟ ପ୍ରଜାତିର ୩୪,୬୮୦ ପକ୍ଷୀ ସର୍ବାଧିକ ସଂଖ୍ୟାରେ ଆସିଥିବା ଗତ ଶନିବାର ଦିନ ହୋଇଥିବା ପକ୍ଷୀଗଣନା ଅଧ୍ୟୟନରୁ ଜଣାପଡିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲାର ଗୋବିନ୍ଦପୁର ଏବଂ ଝାରସୁଗୁଡ଼ା ଜିଲାର ଝାରପଡ଼ା ସେକ୍ଟରରେ ସର୍ବାଧିକ ସଂଖ୍ୟକ ପରିବ୍ରାଜକ ପକ୍ଷୀଙ୍କ ସମାଗମ ହୋଇଛି।

ଜଳଭଣ୍ଡାରକୁ ଆସିଥିବା ନୂଆପକ୍ଷୀଙ୍କ ପ୍ରଜାତି ମଧ୍ୟରେ ବାର-ଟେଲ୍ଡ, ଗଡ଼ୱିଥ, ପିଡ଼ ହେରିୟର, କର୍ଲ୍ୟୁ ସେଣ୍ଟପାଇପର, କଟନ-ପିଗମୀ ଗୁସ, କାସ୍ପିଆନ ଟର୍ଣ୍ଣ, ବ୍ଲ୍ୟୁ ଟେଲ୍ଡ, ବି-ଇଟର, କ୍ରେଷ୍ଟେଡ ସାର୍ପେଣ୍ଡ ଇଗଲ, ଉଲି-ନେକେଡ ଷ୍ଟର୍କ, ୟେଲୋ-ବିଲ୍ଡ ଡକ ଏବଂ ପେଣ୍ଟାକ ଷ୍ଟର୍କ ରହିଛନ୍ତି। ସେହିଭଳି ସ୍କିମର, କ୍ରେଷ୍ଟେଡ ଗ୍ରୀଫ୍‌, ଡ଼ାର୍ଟର, କର୍ମୋରାଇଟ, ଜାକାନା, ପୋଚାର୍ଡ଼, ଷ୍ଟିଲ୍ଟ, ଲେପୱିନ, ପ୍ଲୋଭର, ସ୍ରିକ୍‌ ପକ୍ଷୀଙ୍କ ଉପସ୍ତିତି ରହିଛି।

ସୁଚନାଯୋଗ୍ୟ ଯେ, ଗତ ୨୦୨୨ରେ ସର୍ବାଧିକ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ସଂଖ୍ୟାରେ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିଲେ। ଗତ ୨୦୨୧ ମସିହାରେ ୯୮ ପ୍ରଜାତିର ୧,୨୪,୮୬୪ଟି ବିଦେଶୀ ପକ୍ଷୀ ଏବଂ ଗତ ୨୦୨୦ ମସିହାରେ ସମୁଦାୟ ୯୩ ପ୍ରଜାତିର ୯୭,୮୯୯ଟି ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିବା ସୂଚନା ହସ୍ତଗତ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡ଼ା ବନଖଣ୍ଡ ଏବଂ ବରଗଡ଼ ବିଭାଗ ସହଯୋଗରେ ହୋଇଥିବା ପକ୍ଷୀଗଣନାରେ ବିଭାଗୀୟ କର୍ମଚାରୀଙ୍କ ସମେତ ୩୦ଟି ଦଳରେ ୩୦ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହିତ ବନ୍ୟଅଧିକାରୀ ଏବଂ ୬୦ରୁ ଅଧିକ ଅଂଶଗ୍ରହଣକାରୀ ନିୟୋଜିତ ରହିଥିଲେ। ୧୫ଟି ସେକ୍ଟର ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ଓଡ଼ିଶା ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା ହୋଇଥିବା ଜିଲା ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ଦିଆଯାଇଛି। ୮ଟି ସ୍ଥାନରେ ସମସ୍ତ ଅଂଶଗ୍ରହଣକାରୀ ସକାଳ ୬ଟାରୁ ରାତି ୫ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରିଥିଲେ। ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରକୁ ଅନ୍ତର୍ଜାତୀୟ ରାମସର ଆର୍ଦ୍ରଭୂମି ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଜଳଭଣ୍ଡାର ପାର୍ଶ୍ବବର୍ତ୍ତି ବରଗଡ଼ ଜିଲାର ଗୋବିନ୍ଦପୁର ଆଦି ଗ୍ରାମକୁ ପକ୍ଷୀ ଓ ପରିବେଶର ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଅଂଶଗ୍ରହଣ ସକାଶେ ପକ୍ଷୀଗ୍ରାମର ମାନ୍ୟତା ଦିଆଯାଇଛି।

Related Posts