କାଶୀପୁରରେ ଏବେ ସ୍ଥିତି ଉଦବେଗଜନକ ନାହିଁ, ଏହି ଘଟଣାକୁ ମହାମାରୀ କୁହାଯାଇପାରିବ ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କାଶୀପୁରରେ ଏବେ ସ୍ଥିତି ଉଦବେଗଜନକ ନାହିଁ । ଏହି ଘଟଣାକୁ ମହାମାରୀ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ ଆହୁରି କହିଛନ୍ତି ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠି ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ସାଧାରଣ ପାଣି ସୋର୍ସ ଥିଲା, ପାଖପାଖ ସ୍ଥାନକୁ ଏହା ଆକ୍ରାନ୍ତ କରିଛି । ପ୍ରଥମେ ଅବସ୍ଥା ଖରାପ ଥିଲା ମାତ୍ର ଏବେ ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ରାୟଗଡ଼ା ଓ କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ ସେ ସ୍ଥାନରେ ନିୟୋଜିତ ହୋଇ ସ୍ଥିତି ମନିଟରିଂ କରୁଛନ୍ତି । ସେଠାରେ ବିଶୋଧନ କାର୍ଯ୍ୟକ୍ରମ ଚାଲିଛି । କିଭଳି ଭଲ ପାଣି ଯୋଗାଇ ଦିଆଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ପ୍ରତିଦିନ ସେଠାରୁ ନମୁନା ପରୀକ୍ଷା କରାଯାଉଛି । ଆଦିବାସୀ ଅଞ୍ଚଳ ହୋଇଥିବାରୁ ସେମାନେ ପିଇବା ଲାଗି ଝରଣାରୁ ପାଣି ସଂଗ୍ରହ କରିଥାନ୍ତି । ତେଣୁ ସଂକ୍ରମିତ ଝରଣା ପାଣି ଯୁଆଡେ ଯାଇଛି, ସେଠାରେ ସଂକ୍ରମଣ ଆଶଙ୍କା ରହିଛି । ସେଥିଲାଗି ଉକ୍ତ ଉତ୍ସରୁ ପାଣି ବ୍ୟବହାର ନକରିବାକୁ ଲୋକମାନଙ୍କୁ ବୁଝାଯାଉଛି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାୟଗଡ଼ା ଓ କୋରାପୁଟ ଗସ୍ତରେ ଯାଇ ଏହି ପ୍ରତିକ୍ରିୟା ଦେଇଛନ୍ତି।

Related Posts