ବାପାଙ୍କୁ ଦରମା ନମିଳିବାରୁ ନିଜ ଦେହରେ ନିଆଁ ଲଗାଇଲା ପୁଅ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଉତ୍ତରପ୍ରଦେଶର ବାଦାଉନ୍ ଗତ କାଲି ଏକ ଅଭାବନୀୟ ଘଟଣା ଘଟିଛି। ପିତାଙ୍କୁ ଦରମା ନମିଳିବାରୁ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଶରୀରର 30 ରୁ 35 ପ୍ରତିଶତ ପୋଡି ଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୁଧବାର ଦିନ ଅପରାହ୍ନରେ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ବିକାଶ ଭବନ କମ୍ପ୍ଲେକ୍ସରେ ତାଙ୍କ ଭାଇ ମନୋଜ ଏବଂ ପିତା ରାଜେନ୍ଦ୍ର ପାଲ ଶର୍ମାଙ୍କ ସହ ଆସିଥିବା ଭିପିନ ନିଜକୁ ନିଆଁ ଲଗାଇ ଦେଇଥିଲେ । ପୋଲିସ ଭିପିନଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ , ପରେସେଠାରରୁ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଇଥିଲା।

ଡାକ୍ତରଖାନା ନିଆଯିବା ସମୟରେ ଭିପିନ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପିତା ରାଜେନ୍ଦ୍ର ପାଲ ଶର୍ମା ଇସଲାମ ନାଗର ବ୍ଲକ ସ୍ଥିତ ସିଥୋଳି ସଦନ ସମବାୟ ସମିତିର ସଚିବ ଥିଲେ। ଦେଢ ବର୍ଷ ପୂର୍ବେ ତାଙ୍କ ପିତାଙ୍କୁ ବିନା କୌଣସି କାରଣରେ ନିଲମ୍ବିତ କରାଯାଇଥିଲା।

ଭିପିନ କହିଛନ୍ତି ଯେ ତାଙ୍କ ପିତାଙ୍କୁ ଏହି ନିଲମ୍ବିତ ଅବଧି ସମୟ ପାଇଁ ଦରମା ଦିଆଯାଇ ନାହିଁ। ଦରମା ନଦେବା କାରଣରୁ ପରିବାର ଅନାହାରରେ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବକେୟା ଟଙ୍କା ପରିଶୋଧ କରିବା ପାଇଁ ତାଙ୍କ ପିତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନିଆଯାଇଛି ଏବଂ ସମବାୟ ବିଭାଗର କିଛି ଅଧିକାରୀ ଏଥିରେ ସମ୍ପୃକ୍ତ ଅଛନ୍ତି । କିନ୍ତୁ ଲାଞ୍ଚ ନେବା ସତ୍ବେ ମଧ୍ୟ ତାଙ୍କ ପିତାଙ୍କୁ ବକେୟା ଟଙ୍କା ଦିଆଯାଇ ନାହିଁ ବୋଲି ଭିପିନ୍ ଅଭିଯୋଗ କରିଛନ୍ତି।

ଏହି କାରଣରୁ ସେ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଭିପିନ କହିଛନ୍ତି।। ଏହି ପ୍ରସଙ୍ଗରେ ବାଦାଉନ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଦୀପା ରଂଜନ କହିଛନ୍ତି ଯେ ସେ କିମ୍ବା ତାଙ୍କ ପୁଅ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରିନାହାଁନ୍ତି । ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ତଦନ୍ତ ପରେ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମ୍ ସୂଚନା ଦେଇଛନ୍ତି।

Related Posts