ରାଜ୍ୟ ସରକାର କେବଳ ବ୍ରାଣ୍ଡିଂ କରୁଛନ୍ତି; ମାତ୍ର ପାଖରେ ଫଟା ପଇସା ନାହିଁ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅନେକ ଦୁର୍ନିତୀ କରିଛନ୍ତି ବୋଲି ଭୁବନେଶ୍ୱରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ପଇସାରେ ରାଜ୍ୟ ସରକାର ନିଜ ଛାପ ଲଗାଉଛନ୍ତି । ରାଜ୍ୟ ସରକାର କେବଳ ବ୍ରାଣ୍ଡିଂ କରୁଛନ୍ତି, ମାତ୍ର ପାଖରେ ଫଟା ପଇସା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିଥିଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ।

ମନ୍ତ୍ରାଳୟ ପକ୍ଷରୁ ଏକ ଟିମ୍ ଆସି ତଦନ୍ତ କରିଥିଲା । ଟିମ୍ର ତଦନ୍ତ ରିପୋର୍ଟ ଆଧାରରେ ଓ଼ଡ଼ିଶା ସରକାର ୨୦୨୧ ଜୁଲାଇ ୨୦ରେ କାର୍ୟ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ । ମାତ୍ର ରିପୋର୍ଟ ସନ୍ତୋଷଜନକ ନ ହେବାରୁ ଆଗ୍ରାହ୍ୟ କରିଦେଇଥିଲେ କେନ୍ଦ୍ର ସରକାର । ବିଜେଡି ସାଂସଦ ଏନ୍ ଭାସ୍କର ରାଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏନେଇ ସୂଚନା ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। ତେବେ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଉପରେ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts