ଭୁବନେଶ୍ୱର,୯/୮(ସତ୍ୟପାଠ ବ୍ୟୁରୋ): ୩୦ ଟଙ୍କାରେ ମିଳିବ ଆଳୁ। ଖାଉଟିଙ୍କୁ କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର। ବାରମ୍ବାର ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସି ପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ। ଦିନକ ପରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଯିବ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ଟଙ୍କାରେ ଆଳୁ ଦେବୁ। ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ ବୋଲି ଦିଲ୍ଲୀରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ।
ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି। ଏହା ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ।
ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ବିକ୍ରୟ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।