ବଢ଼ିଲା ପାଣ୍ଡିଆନଙ୍କ ଅଡୁଆ; ହେଲିକପ୍ଟର ଗସ୍ତ ଖର୍ଚ୍ଚର ହେବ ତଦନ୍ତ

ଭୁବନେଶ୍ୱର,୯/୮(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୂର୍ବରୁ ହେଲିକପ୍ଟର ଧରି ଘନ ଘନ ଉଡ଼ୁଥିଲେ । ଏକା ଏକା ପ୍ରଚାର କରୁଥିଲେ । ଆଜ୍ଞା ହଁ ଆମେ ସେଇ ଭିକେ ପାଣ୍ଡିଆନଙ୍କ କଥା କହୁଛୁ । ଯାହାକୁ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି କୁହାଯାଉଥିଲା । ସେ ଏବେ କେଉଁଠି ? କେଉଁଠି ଅଛନ୍ତି ପାଣ୍ଡିଆନ୍‌ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ ଆଉ ତାଙ୍କର ଦେଖା ନାହିଁ । ବିଜେଡି ହାରିବା ପରେ ଗୋଟିଏ ଭିଡିଓ କରି କହିଦେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଲି । ଏହାପରଠୁ ତାଙ୍କର ଆଉ ଦେଖା ମିଳୁନି, ହେଲେ ଏବେ ବି ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା । କାରଣ ବିଜେଡି ସରକାର ସମୟରେ ଅଖଣ୍ଡ କ୍ଷମତା ଭୋଗ କରୁଥିବା ପାଣ୍ଡିଆନଙ୍କ ନାଁରେ ଉଠୁଛି ଏକାଧିକ ଦୁର୍ନୀତି ଅଭିଯୋଗ…।

ଆଉ ସେଥିମଧ୍ୟରୁ ଗୋଟିଏ ହେଲା ହେଲିକପ୍ଟର ବୁଲା । ସରକାରୀ ଚାକିରୀରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାଁରେ ଅଭିଯୋଗ ଶୁଣାଣି କରିବାକୁ ସେ ରାଜ୍ୟ ସାରା ହେଲିକ୍ୟାପ୍ଟର ନେଇ ବୁଲୁଥିଲେ | ଆଉ ଚାକିରୀ ଛାଡି ବିଜେଡିରେ ମିଶିବା ପରେ, 5T ଅଧକ୍ଷ ସାଜି ହେଲିକ୍ୟାପ୍ଟରରେ ବୁଲିଲେ | ହେଲେ ଏବେ ସବୁଠାରୁ ବଡ଼ ପ୍ରଶ୍ନ, ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ? ସେନେଇ ସମସ୍ତଙ୍କ ମନରେ ଅନେକ ଦିନ ଧରି ପ୍ରଶ୍ନ ରହିଛି । ହେଲେ ଖୁବ୍‌ଶୀଘ୍ର ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବ ବୋଲି ଆଶା ରଖିଛନ୍ତି ଓଡ଼ିଶାବାସୀ ।

ଏହା ପଛର ବଡ଼ କାରଣ ହେଲା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ନେଇ ଆରମ୍ଭ ହୋଇଛି ତଦନ୍ତ । ପରିବହନ ମନ୍ତ୍ରୀ ବିଭୁତି ଜେନା ଏନେଇ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ତଦନ୍ତ ଚାଲିଛି, ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ । ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ କେବେ ବି ଗ୍ରହଣୀୟ ନୁହେଁ। ଆମ ସରକାର ଏହା ଉପରେ ନଜର ରଖିଛନ୍ତି, ଅପେକ୍ଷା କରନ୍ତୁ କାର୍ଯ୍ୟାନୁଷ୍ଠାନ ହେବ। ହେଲିକପ୍ଟର କିଏ ନେଇପାରିବ ସେନେଇ ବିଧି ରହିଛି, ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ। ଯିଏ ଦୋଷ କରିଛି, ତା’ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା।

ସେପଟେ କଂଗ୍ରେସ ମଧ୍ୟ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ତଦନ୍ତକୁ ସ୍ୱାଗତ କରିଛି | ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହୋଇ ସବୁ ସତ ସାମ୍ନାକୁ ଆସିବା ଉଚିତ | ସେପଟେ ଏନେଇ ବିଜେଡିର କିନ୍ତୁ ପ୍ରତିକ୍ରିୟା ମିଳିପାରି ନାହିଁ |

ତେବେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ରିପୋର୍ଟ କଣ ଆସୁଛି ଏବେ ତାହାରି ଉପରେ ନଜର |

Related Posts