ଅଗଷ୍ଟ ମାସରେ ପେଟ୍ରୋଲ ଓ ମଦରୁ ରାଜ୍ୟର ଟିକସ ଆୟ ୯୩୩.୬୨ କୋଟି ଟଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଗଷ୍ଟ ମାସରେ ରାଜ୍ୟରୁ ପେଟ୍ରୋଲ ଓ ମଦରୁ ୯୩୩.୬୨ କୋଟି ଟଙ୍କାର ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ସଂଗ୍ରହ ହୋଇଛି। ତେବେ ଗତବର୍ଷ ଅଗଷ୍ଟ ମାସରେ ଏନେଇ ୮୮୪.୨୨ କୋଟି ଟଙ୍କା ଟିକସ ଆୟ ହୋଇଥିଲା। ଗତବର୍ଷ ଆୟ ତୁଳନାରେ ଚଳିତ ବର୍ଷର ଆୟ ୫.୫୯ ପ୍ରତିଶତ ଅଧିକ ବୋଲି ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରିରୁ ୭୫୦.୧୧ କୋଟି ଟଙ୍କାର ଭାଟ୍ ସଂଗ୍ରହ ହୋଇଛି ଯାହା ୨୦୨୧ ଅଗଷ୍ଟରେ ୭୨୭.୭୩ କୋଟି ଟଙ୍କା ଥିଲା।ସେହିପରି, ମଦରୁ ୧୮୩.୫୧ କୋଟି ଟଙ୍କାର ଭାଟ୍ ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଏହି ମାସରେ ୧୫୬.୪୯ କୋଟି ଟଙ୍କା ଥିଲା।

ଅଗଷ୍ଟରେ ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ୧୮.୩୭ ପ୍ରତିଶତ ବୃଦ୍ଧି ପାଇ ୨୧.୭୨ କୋଟି ଟଙ୍କା ହୋଇଛି। ଏହି ମାସରେ ରାଜ୍ୟରେ ୨୦,୨୬୯ ଜଣ ନୂଆ ଟିକସଦାତା ସୃଷ୍ଟି ହୋଇଥିବା ବେଳେ ୧୫.୮୧ ଲକ୍ଷ ଇ-ୱେ ବିଲ୍ ଜାରି କରାଯାଇଛି। ଅଗଷ୍ଟରେ ରାଜ୍ୟରେ ୩,୮୮୩.୯୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ସେଥିରୁ ୧୦୧୯.୮୧ କୋଟି ଟଙ୍କା ହେଉଛି ରାଜ୍ୟ ଜିଏସ୍‌ଟି। ୨୦୨୧ ଅଗଷ୍ଟରେ ହୋଇଥିବା ୯୫୬.୪୭ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ସଂଗ୍ରହ ତୁଳନାରେ ଏଥର ୬.୬୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୦,୩୬୬.୭୭ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି।

Related Posts