
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚି ଭାରତୀୟ ମହିଳା ହକି ଟିମ୍ ଇତିହାସ ସୃଷ୍ଟି କରିଛନ୍ତି। ତିନି ଥରର ଅଲିମ୍ପିକ ବିଜେତା ଅଷ୍ଟ୍ରେଲିଆ ଦଳକୁ ୧-୦ରେ ହରାଇ ଦଳ ସେମି ଫାଇନାଲକୁ ପ୍ରବେଶ କରିଛି। ଏହି ଐତିହାସିକ ସଫଳତା ହାସଲ କରିବା ପରେ ଏବେ ସାରା ଦେଶବାସୀ ମହିଳା ହକି ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି। ମହିଳା ହକି ଟିମ୍ ର ଏହି ଐତିହାସିକ ସଫଳତାକୁ ନେଇ ଏବେ ସୁନ୍ଦରଗଡ଼ ଜିଲ୍ଲାର ନିପଟ ମଫସଲ ଗାଁ ଲୁଲକିଡିହି ବାମନିବାହାଲ (ପଡ଼ା) ମଧ୍ୟ ଖୁସିର ଲହରୀ । କାରଣ ଏହି ଗାଁର ଝିଅ ଦୀପଗ୍ରେସ ଏକ୍କା ହେଉଛନ୍ତି ମହିଳା ହକି ଦଳର ଉପଅଧିନାୟିକା। ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଖେଳି ଏହି ସଫଳତା ହାସଲ କରିବା ପରେ ଗାଁରେ ଥିବା ବାପାମା’ ଅତ୍ୟନ୍ତ ଖୁସି ହୋଇଛନ୍ତି।
ଓଡ଼ିଶା ମାଟିର ଝିଅ ଦୀପଗ୍ରେସ ଏକ୍କା ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ପରେ ଏବେ ଟୋକିଓ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଛନ୍ତି ୨୭ ବର୍ଷିୟା ଦୀପଗ୍ରେସ। ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ସ୍ଥିତ ଛତିଶଗଡ଼-ଝାରଖଣ୍ଡ ସୀମାନ୍ତ ଏହି ଛୋଟ ଗାଁର ଏକ୍କାଙ୍କ ଏହି ସଙ୍ଘର୍ଷମୟ ସଫଳ ଯାତ୍ରା ଟିଣ ଛପର ଘରୁ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ। ଏବେ ତାଙ୍କର ଏହି ସଫଳତାକୁ ନେଇ ସାର ଦେଶରେ ଚର୍ଚ୍ଚା । ଏକ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦୀପଗ୍ରେସଙ୍କ ବାପା ଚାଲେଶ ଏକ୍କା ମଧ୍ୟ ହକି ଖେଳାଳି ଥିଲେ।
ତାଙ୍କ ବାପା ସେହି ସମୟରେ ଟିମ୍ ର ରକ୍ଷଣଭାଗ ସମ୍ଭାଳୁଥିଲେ। ସେ ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ହକି ମ୍ୟାଚ୍ ଖେଳିବାକୁ ଯାଉଥିଲେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଏବଂ ତାଲିମ ଅଭାବରୁ ସେ ଗାଁ ଖେଳାଳି ହୋଇ ରହିଯାଇଥିଲେ।
କିନ୍ତୁ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସେ ଅଲମ୍ପିକ୍ ପଠାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଦୀପଗ୍ରେସ ଏକ୍କା ହେଉଛନ୍ତି ତାଙ୍କର ସବା ସାନ ଝିଅ। ଦୀପଗ୍ରେସଙ୍କ ଭାଇ ଦୀପକ, ଡେନିସ, ଡେଭିଡ୍ ଓ ଭଉଣୀ ଦୀପ୍ତିରୋସ ଅଛନ୍ତି। ଭାଇ ଦୀପକ ଝାରସୁଗୁଡ଼ାରେ ଏକ କମ୍ପାନିରେ ଚାକିରି କରନ୍ତି ଏବଂ ଡେଭିଡ୍ ବାପାଙ୍କ ସହ ଚାଷ ବାସ କରିଥାନ୍ତି ।
ତାଙ୍କ ଭଉଣୀ ଦୀପ୍ତିରୋସଙ୍କ ବିବାହ ହୋଇସାରିଛି। ଦୀପଗ୍ରେସଙ୍କ ଅନ୍ୟ ଜଣେ ଭାଇ ଡେନିସ ହେଉଛନ୍ତି ଜଣେ ହକି ଖେଳାଳି। ସେ ଦିଲ୍ଲୀରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମରେ ନିଯୁକ୍ତି ପାଇ କମ୍ପାନି ଟିମରେ ହକି ଖେଳୁଛନ୍ତି। ବାପା ଓ ଭାଇଙ୍କ ଖେଳ ଦେଖି ଦୀପଗ୍ରେସଙ୍କ ମଧ୍ୟ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା।
କିନ୍ତୁ ହକି ଷ୍ଟିକ୍ ଏବଂ କିଟ୍ କିଣିବା ପାଇଁ ସମ୍ବଳ ନଥିବା କାରଣରୁ ବାପାଙ୍କ ସହ ଗାଁ ପାଖ ଜଙ୍ଗଲରୁ ଧଉଁଲା ବା ଧଅଁରା ଗଛର କାଠ ଆଣି ସେଥିରେ ହକି ଷ୍ଟିକ୍ ଓ ଛିଣ୍ଡା ଜରିରେ ବଲ୍ ତିଆରି କରି ଗାଁ ଦାଣ୍ଡରେ ଛୋଟ ପିଲାଙ୍କ ସହ ଖେଳୁଥିଲେ ଦୀପଗ୍ରେସ। ଝିଅର ହକି ପ୍ରତି ରୁଚି ଦେଖି ବାପା ନିଜ ଅଧୁରା ସ୍ବପ୍ନ ପୂରା କରିବାକୁ ଆଗେଇ ଆସିଥିଲେ।
ଝିଅକୁ ହକି ଖେଳାଳୀ କରିବା ଲକ୍ଷ୍ୟରେ ୨୦୦୪ ରେ ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସକୁ ପଠାଇଥିଲେ। କିନ୍ତୁ ସେତେବେଳେ ସେଠାରେ ଝିଅମାନଙ୍କ ପାଇଁ ହଷ୍ଟେଲ ସୁବିଧା ନଥିବା କାରଣରୁ ଘରୁ ଚାଉଳ, ଡାଲି ପଠାଉଥିଲେ ବାପା। ଦୁଇ ବର୍ଷ ଅଭ୍ୟାସ କରିବା ପରେ ୨୦୦୬ରେ Sports Authority Of India(SAI) ରେ ପ୍ରବେଶ କରିଥିଲେ ଦୀପଗ୍ରେସ। ୨୦୦୮ ଯାଏ ତାଙ୍କୁ କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ ହକି ତାଲିମ ଦେଉଥିଲେ।
ପରବର୍ତ୍ତୀ ସମୟରେ ମହିଳା ହକି କୋଚ୍ ଭାବେ ଲୁସେଲ ଏକ୍କା ନିଯୁକ୍ତି ପାଇବା ପରେ ତାଙ୍କ ଠାରୁ ତାଲିମ ନେଇଥିଲେ ଦୀପଗ୍ରେସ। ୨୦୧୧ରେ ସେ ଜାତୀୟ ମହିଳା ହକି ଟିମ୍ କୁ ମନୋନୀତ ହୋଇଥିଲେ। ଜାତୀୟ ସ୍ତରରେ ପହଞ୍ଚିବା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
SAI କ୍ରୀଡ଼ାବାସରୁ ବାହାରିଥିବା ଏକମାତ୍ର ଅନ୍ତର୍ଜାତୀୟ ଖେଳାଳି ସୁଶ୍ରୀ ଏକ୍କାଙ୍କ କ୍ରୀଡା ଶୈଳୀ ଦେଖି ତାଙ୍କୁ ହକିର ଲେଡି ଦିଲୀପ ତିର୍କୀ’ ବୋଲି କୁହାଯାଇଥାଏ। ଦୀପଗ୍ରେସ ଏକ୍କା ଏଯାଏ ୨୦୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଟୋକିଓ ଅଲମ୍ପିକ୍ ଖେଳିବାକୁ ଯାଇଥିବା ଖେଳାଳିଙ୍କ ମଧ୍ୟରେ ମହିଳା ହକି ଟିମ୍ ରେ ଦୀପଗ୍ରେସ ଓ ନମିତା ଟପ୍ପୋ ଥିବାବେଳେ ଭାରତୀୟ ପୁରୁଷ ଟିମ୍ ରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଛନ୍ତି। ୪ ଜଣ ଯାକ ଦଳର ରକ୍ଷଣଭାଗ ସମ୍ଭାଳିଛନ୍ତି।
ଅଷ୍ଟ୍ରେଲିଆ ସହ କ୍ବାଟର୍ ଫାଇନାଲରେ ଦଳର ଗୋଲ୍ ସହ ଗୋଲ୍ ରକ୍ଷକ ସବିତା ପୁନିଆ ଓ ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ରକ୍ଷଣ ଶୈଳୀ ଟିମ୍ କୁ ବିଜୟୀ କରାଇବାରେ ସାହାଯ୍ୟ କରିଛି। ବର୍ତ୍ତମାନ ସମସ୍ତଙ୍କ ନଜର ଅଗଷ୍ଟ ୪ ତାରିଖରେ ହେବାକୁ ଥିବା ସେମି ଫାଇନାଲ ଉପରେ। ଗାଁ ଝିଅ ସ୍ବର୍ଣ୍ଣପଦକ ଆଣିବା ଆଶାରେ ଗ୍ରାମବାସୀ ଅପେକ୍ଷା କରିଛନ୍ତି।