ଡିଜିଟାଲ ପେମେଣ୍ଟ ‘ଇ-ରୁପି’ ପ୍ଲାଟଫର୍ମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କହିଲେ -” ଜନକଲ୍ୟାଣ ସେବା ଯୋଗାଇବାରେ ହେବ ସହାୟକ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ E-RUPI ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଏହା ଏକ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ହୋଇଥିବା ବେଳେ କ୍ୟାସଲେସ୍ ପେମେଣ୍ଟ ଦିଗରେ E-RUPI ଏକ ଯୁଗାନ୍ତକାରୀ ପଦକ୍ଷପ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ଭାରତର ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଦ୍ୱାରା ବିକଶିତ ଏହି ପ୍ଲାଟଫର୍ମ ଏକ ବ୍ୟକ୍ତିଗତ ତଥା ଉଦ୍ଦେଶ୍ୟ-ନିର୍ଦ୍ଦିଷ୍ଟ ଡିଜିଟାଲ୍ ପେମେଣ୍ଟସମାଧାନ ବୋଲି ଦାବି କରାଯାଇଛି।

ପ୍ରଧାନମନ୍ତ୍ରୀ ଏହି ପ୍ଲାଟଫର୍ମକୁ ଶୁଭାରମ୍ଭ କରି କହିଛନ୍ତି ଯେ କଲ୍ୟାଣକାରୀ ସେବାଗୁଡିକର ଲିକ୍ ପ୍ରୁଫ୍ ବିତରଣକୁ ନିଶ୍ଚିତ କରିବା ଦିଗରେ ଏହା ଏକ ବୈପ୍ଳବିକ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି ।

ମୋଦୀ ଏହି ଅବସରରେ କହିଛନ୍ତି ଯେ, ଆରମ୍ଭରେ ଏହା ସ୍ୱାସ୍ଥ୍ୟ ହିତାଧିକାରୀଙ୍କ ଉପରେ ଲାଗୁ ହେବ। ଯେଉଁମାନେ ଘରୋଇ କେନ୍ଦ୍ରରେ ଟଙ୍କା ଦେଇ ଟିକା ନେବାକୁ ଚାହିଁବେ। ଏପରି କି କେହି ଗରିବ ଲୋକଙ୍କ ଟିକାକରଣ କରିବାକୁ ଇଚ୍ଛା କରୁଛନ୍ତି, ସେମାନେ ଇ-ରୁପି ଭାଉଚର ଦେଇପାରିବେ।

NDTV ରିପୋର୍ଟ ଅନୁଯାୟୀ ମୁମ୍ବାଇର ଏକ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରରେ ଏହାକୁ ବିଧିବଦ୍ଧ ଭାବେ ବ୍ୟବହାର କରାଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ E-RUPI ହେଉଛି “ଲୋକଙ୍କ ଜୀବନକୁ ଟେକ୍ନୋଲୋଜି ସହିତ ଯୋଡି ଭାରତ କିପରି ଅଗ୍ରଗତି କରୁଛି ତାହାର ଏକ ପ୍ରତୀକ ସଦୃଶ୍ୟ। ” ମୋଦୀ ଆହୁରି କହିଛନ୍ତି ଯେ ଟେକ୍ନୋଲୋଜି କାରବାରରେ ସ୍ୱଚ୍ଛତା ଆଣି ଗରିବଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଡିଜିଟାଲ ପେମେଣ୍ଟ ଇ-ରୁପିର ବିକଶିତ କରାଯାଇଛି। ଏହା ସମ୍ପୂର୍ଣ୍ଣ କ୍ୟାଶଲେସ ଓ କଣ୍ଟାକ୍ଟ ଲେସ୍‌। ଏହା କେବଳ କ୍ୟୁଆର୍‌ କୋଡ ଭିତ୍ତିକ କିମ୍ବା ଏସ୍‌ଏମ୍‌ଏସ୍‌ ଭିତ୍ତିକ ଇ-ଭାଉଚର ଯାହା ହିତାଧିକାରୀଙ୍କ ମୋବାଇଲ ଫୋନକୁ ପଠାଯାଇ ପାରିବ। ବ୍ୟବହାରକାରୀ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ୍‌ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର ନ କରି ଇ-ଭାଉଚର ପଠାଇପାରିବେ।

ଏହି ସେବା ମାତୃ ଏବଂ ଶିଶୁ କଲ୍ୟାଣ ସେବା, ଯକ୍ଷ୍ମା ଏବଂ ଅନ୍ୟାନ୍ୟ ସୁବିଧା ଅଧୀନରେ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ଯୋଜନାଗୁଡିକର ବିତରଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରିବ। ସରକାର କହିଛନ୍ତି ଯେ ବେସରକାରୀ ସଂସ୍ଥା କର୍ମଚାରୀଙ୍କ କଲ୍ୟାଣ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ବ କାର୍ଯ୍ୟକ୍ରମ ଅଧୀନରେ ଏହି ଡିଜିଟାଲ୍ ଭାଉଚର୍ ବ୍ୟବହାର କରିପାରନ୍ତି।

ଏନଡିଟିଭି ରିପୋର୍ଟ ଅନୁଯାୟୀ ମୋଦୀ ଦାବି କରିଛନ୍ତି ଯେ “ଦେଶରେ ଟେକ୍ନୋଲୋଜି କିପରି ସ୍ବଚ୍ଛତା ଆଣୁଛି ତାହା ବିଶ୍ୱ ନଜରରେ ରଖିଛି। “ଲକଡାଉନ୍ ସମୟରେ ଆମେ ଏହାର ଗୁରୁତ୍ୱ ଦେଖିଥିଲୁ। ଯେତେବେଳେ ବଡ ବଡ ଦେଶ ମାନେ ଚିନ୍ତା କଲେ ଯେ ସେମାନେ ଗରିବ ଲୋକଙ୍କୁ କିପରି ସାହାଯ୍ୟ କରିବେ, ସେତେବେଳେ ଭାରତରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଥିଲା। ”

Related Posts