ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଏବଂ ମୁସଲମାନ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ନେଇ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ମାମଲରେ ତାଙ୍କୁ ଗିରଫ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଏକ ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହାସହ ସୁପ୍ରିମକୋର୍ଟ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି।ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଆବେଦନକାରୀ ଆଡଭୋକେଟ୍ ଅବୁ ସୋହେଲଙ୍କୁ କହିଛନ୍ତି ଯେ ତାଙ୍କ ଆବେଦନ ନିରାପଦ ଦେଖାଯାଉଛି। କିନ୍ତୁ ଏହାର ସୁଦୂର ପ୍ରସାରୀ ପରିଣାମ ରହିଛି। ଖଣ୍ଡପୀଠଙ୍କ ଏହି ମନ୍ତବ୍ୟ ପରେ ସୋହେଲ ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି।
ଅଭିଯୋଗ ସତ୍ତ୍ୱେ ପୁଲିସ ପକ୍ଷରୁ ଶର୍ମାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରି ଓକିଲ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ଆବେଦନ କରିଥିଲେ। ଏହି ଆବେଦନରେ କୁହାଯାଇଥିଲା ଯେ ଶର୍ମା ପ୍ରଫେଟ ମହମ୍ମଦ ଏବଂ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ତେଣୁ ଏହି ଘଟଣାର ସ୍ୱାଧୀନ, ବିଶ୍ୱସନୀୟ ଏବଂ ନିରପେକ୍ଷ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଆବେଦନରେ ଶର୍ମାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ତାଙ୍କ ବିବୃତି ସମ୍ବିଧାନର ଧାରା ୧୪, ୧୫, ୨୧, ୨୬ ଓ ୨୯ ଏବଂ ଅନ୍ୟାନ୍ୟ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ବୋଲି କୁହାଯାଇଥିଲା।
