ଓକିଲ ଆନ୍ଦୋଳନକୁ ନେଇ ପୁଲିସ ଡିଜିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିଭନ୍ନ ସ୍ଥାନରେ ହାଇକୋର୍ଟର ବେଞ୍ଚ ସ୍ଥାପନ ନେଇ ଜାରି ରହିଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ପୁଣି କଠୋର ମନୋଭାବ ପୋଷଣ କରିଛନ୍ତି ସୁପ୍ରିମକୋର୍ଟ । ଏହି ଆନ୍ଦୋଳନକୁ ନେଇ ଓଡିଶା ପୋଲିସ ମହାନିର୍ଦେଶକ ଓ ପଶ୍ଚିମାଞ୍ଚଳ ଆଇଜିଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି ଓଡ଼ିଶା ପୋଲିସ ଆନ୍ଦୋଳନକୁ ରୋକି ପାରୁନି ତାହେଲେ ଆମକୁ ଜଣାଅ, ଆମେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରିବୁ । ଏହାସହ ଉଭୟ ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିଡ଼ିଓ କନଫରେନସିଂରେ ବୁଧବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ପୋଲିସ ଆନ୍ଦୋଳନ ରୋକିବାରେ ବିଫଳ ହେଲା ସେନେଇ ଏହି ହାଜିରାରେ ସବିଶେଷ ତଥ୍ୟ ମାଗିପାରନ୍ତି ସୁପ୍ରିମକୋର୍ଟ ।

ଏସବୁ ଭିତରେ ଆଜି ସମ୍ବଲପୁର କଚେରୀ ଛକ ରଣକ୍ଷେତ୍ର ପାଲଟିଛି । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଛନ୍ତି ଆନ୍ଦୋଳନ । ତେବେ ରାସ୍ତା ମଝିରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଜୋରଦାର ଧସ୍ତାଧସ୍ତି ହୋଇଛି । ଚଳିତଥର ଆନ୍ଦୋଳନରେ ଓକିଲ ମାନଙ୍କ ସମର୍ଥନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ । ତା ସହିତ ସମର୍ଥନ ଜଣାଇ ଆନ୍ଦୋଳନ କରିଛନ୍ତି କିନ୍ନର ସଂଘ । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାର ଦେଇଛନ୍ତି ଚେତାବନୀ ।

ଅନ୍ୟପଟେ ସମ୍ବଲପୁର ଭଳି ସୁନ୍ଦରଗଡରେ ବି ଓକିଲଙ୍କ ପ୍ରତିବାଦ ଜାରି ରହିଛି । ସୁନ୍ଦରଗଡ କୋର୍ଟ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓକିଲ । ଗୋଟିଏ ପଟେ ସୁପ୍ରିମକୋର୍ଟ ଓକିଲଙ୍କ ଉପରେ କଟକଣା ଲଗାଇଥିଲେ । ଆନ୍ଦୋଳନ କଲେ ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ ସମସ୍ତ ନିର୍ଦ୍ଦେଶକୁ ବେଖାତିର କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ ମାନେ । ଖୁବଶୀଘ୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

Related Posts