ସାଂସଦ ଓ ବିଧାୟକଙ୍କ ସୁରକ୍ଷାରେ ବ୍ୟବହାର ହେଉଛି ନିର୍ଭୟା ଫଣ୍ଡରେ କିଣାଯାଇଥିବା ଗାଡି; ସିନ୍ଦେ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ

ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ ଉପରେ ଉଦ୍ଧବ ଠାକରେ ଗୋଷ୍ଠୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିରୋଧୀ ଉଦ୍ଧବ ଗୋଷ୍ଠୀ କହିଛନ୍ତି ଯେ, ସିନ୍ଦେ ସରକାର ମହାରାଷ୍ଟ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡ ଟଙ୍କାରେ ବିଧାୟକ ଓ ସାଂସଦମାନଙ୍କ ପାଇଁ ସୁରକ୍ଷିତ ଗାଡି କିଣିଛନ୍ତି ।

ଏନେଇ ଉଦ୍ଧବ ଠାକରେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଲଜ୍ଜଜନକ ଘଟଣା । ଆମେ ସବୁ ଜାଣିଛୁ କି ନିର୍ଭୟା ଫଣ୍ଡ କାହିଁକି ଗଠନ କରାଯାଇଥିଲା । ଏହି ଫଣ୍ଡକୁ ଆସୁଥିବା ସହାୟତା ଅର୍ଥ ଜରିଆରେ ରାଜ୍ୟରେ ମା ଓ ଭଉଣୀଙ୍କୁ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କୁ ଧରିବା କାମରେ ବ୍ୟବହାର କରାଯିବ । ହେଲେ ସିନ୍ଦେ ସରକାର ଏହି ଟଙ୍କାରେ ନିଜ ଦଳର ବିଧାୟକ ଓ ସାଂସଦମାନଙ୍କ ପାଇଁ ଗାଡି କିଣିବା ଓ ମଉଜ କରିବାରେ ଖର୍ଚ୍ଚ କରୁଥିବା କଥା ଅଭିଯୋଗ ଆଣିଛନ୍ତି ଉଦ୍ଧବ ଠାକରେ ।

ତେବେ ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚଳିତ ବର୍ଷ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ୩୦ କୋଟି ଟଙ୍କାର ୭୬୮ ଟି ଗାଡି କିଣାଯାଇଛି । ଏନେଇ ପ୍ରଥମେ ଜଣେ ପୋଲିସ ଅଧିକାରୀ ଦାବି କରିଥିଲେ କି ଏହି ଗାଡିଗୁଡିକ ନିର୍ଭୟା ଫଣ୍ଡରେ ଥିବା ଅର୍ଥରେ କିଣାଯାଇଛି । ପୋଲିସ ଜଣଙ୍କ ଅଭିଯୋଗ କରିଥିଲେ ଯେ, ପ୍ରଥମେ ଏହି ଗାଡିଗୁଡିକୁ ମହିଳାଙ୍କ ସୁରକ୍ଷା ଦିଗରେ କାମ କରିବାକୁ କିଣାଯାଇଥିଲା । ହେଲେ ଏବେ ଏହାକୁ ବିଧାୟକ ଓ ସାଂସଦମାନଙ୍କ ସୁରକ୍ଷା ପାଇଁ ନିଆଯାଇଛି । ହେଲେ ଏଭଳି ଅଭିଯୋଗ ପରେ ମଧ୍ୟ ସିନ୍ଦେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ପୋଲିସ ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ଯେ, ନିର୍ଭୟା ଫଣ୍ଡ ଟଙ୍କାରେ କିଣାଯାଇଥିବା ଗାଡିଗୁଡିକ ମଧ୍ୟରୁ ୯୭ ଟି ଗାଡି ପୋଲିସ ଷ୍ଟେସନରେ ବ୍ୟବହାର କରାଯାଉଥିବା ବେଳେ ୪୭ ଟି ବୋଲେରୋ ଗାଡି ବିଧାୟକ ଓ ସାଂସଦଙ୍କୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି ।

Related Posts