ରଥଯାତ୍ରା ସମୟରେ ସରକାରୀ ନିୟମ ସହ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବେଖାତିର କରାଯାଇଛି: ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ

ସତ୍ଯପାଠ ଏକ୍ସିକ୍ଲୁସିଭ୍  

ଅଣଓଡିଆ, ସଙ୍ଗିତକାର, ୟୁଟ୍ୟୁବର, ବଙ୍ଗାଳି ଆଦି ଅନେକ ଲୋକ ମହାପ୍ରଭୁଙ୍କ ଦର୍ଶନ କଲେ । ରଥ ଭିଡିଲେ, ଭିଡିଓ ସୁଟ କଲେ । ହେଲେ ପୁରୀବାସୀ ନିଜ ଆରାଧ୍ଯଙ୍କୁ କେବଳ ଟିଭିରେ ଦେଖି  ଝୁରିଲେ । ପ୍ରଶାସନିକ ଅବହେଳାର ଯୋଗୁଁ ସମସ୍ତ ସରକାରୀ ନିୟମ ଓ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବେଖାତିର କରାଯାଇଥିବା ଅଭିଯୋଗ ଆଣିଛି ପୁରୀ ଜିଲ୍ଲା ଅଧିବକ୍ତା ସଂଘ  । 

ସୋମବାର ରଥଯାତ୍ରାରେ ଦେଖାଯାଇଥିଲା ଅନେକ ବ୍ୟତିକ୍ରମ । କେତେକ ଅଣସେବାୟତ ରଥ ପାଖରେ ବୁଲୁଥିବା ଦେଖାଯାଇଥିଲା । ସେମାନେ କିପରି ସେଠାକୁ ଗଲେ । କିଏ ସେମାନଙ୍କୁ ପାସ ଜାରିକରିଥିଲା? ତାହା ତଦନ୍ତ ହେବା ଉଚିତ । ଆହୁରି ମଧ୍ଯ ଅନେକ ପୁରୀ ବାହାର ଲୋକ ନକଲି ସାମ୍ବାଦିକ ହୋଇ ଘୂରିବୁଲୁଥିବା ଅଭିଯୋଗ ଆଣିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ । କିଏ ଜାରି କଲା ଏମାନଙ୍କୁ ମିଡିଆ ପାସ ? କେଉଁ ଆଧାରରେ ଏମାନଙ୍କୁ ମିଡିଆ ପାସ ମିଳିଛି ? ତାହା ତଦନ୍ତ ସାପେକ୍ଷ। 

ଅନ୍ୟପଟେ କେତେକ ବଙ୍ଗାଳୀ ୟୁଟ୍ୟୁବର ମଧ୍ଯ ଖୁଲମଖୁଲା ରଥ ପାଖରେ ନିଜ ଫଟୋ ଓ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ନଜର ଆସିଥିଲା । ଛାତ ଉପରେ ନଦେଖିବାକୁ ନିର୍ଦ୍ଦେଶ ଥିବା ସତ୍ୱେ କିଛି ଅଣଓଡିଆ କିପରି ଛାତ ଉପରେ ରହି ଦେଖୁଥିଲେ ? ଏ ତମାମ ଅଭିଯୋଗ ନେଇ ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର ସାହୁ ଓ ସଂଘ କର୍ମକର୍ତ୍ତାମାନେ ସିଂହଦ୍ଵାର ଥାନାରେ ଏତଲା ଦାଏର କରିଛନ୍ତି । 

କୋଭିଡ ନିୟମ ଭାଙ୍ଗି ରଥଯାତ୍ରାରେ ସାମିଲ ହୋଇଥିବା ଅଣସେବାୟତ, ନେତା, ଅଭିନେତା, ସଙ୍ଗିତକାର, ୟୁଟ୍ୟୁବରସ୍, ନକଲି ସାମ୍ବାଦିକ ଆଦିଙ୍କୁ ସିସିଟିଭି ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯାଇ ପୁରୀବାସୀଙ୍କୁ ଉଚିତ ନ୍ୟାୟ ଦିଆଯାଉ ବୋଲି ଆବାହକ ଶ୍ରୀ ସାହୁ ଦାବି କରିଛନ୍ତି । 

ସୂଚନାଥାଉ କି, ଗତବର୍ଷ ଠାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଅନୁସାରେ ସମସ୍ତ କୋଭିଡ ନିୟମ ପାଳନ କରାଯାଇ ମହାପ୍ରଭୁଙ୍କ ରଥଯାତ୍ରା କରାଯାଇଥିଲା । ସଫଳ ରଥଯାତ୍ରା ପାଇଁ ପୁରୀବାସୀ ସରକାରଙ୍କ ସମସ୍ତ ନିୟମ ମାନି ସହଯୋଗ କରିଛନ୍ତି ମଧ୍ଯ । କିନ୍ତୁ ଏଥର ସବୁ ନିୟମ ଭଙ୍ଗା ଯାଇଛି । ପୁରୀ ଲୋକଙ୍କ ସରଳତାର ଫାଇଦା ନିଆଯାଇଛି । ପୁରୀ ଲୋକଙ୍କୁ ଘରେ କିଳି ବାହାର ଲୋକଙ୍କୁ ଛଡାଯାଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

Related Posts