ଡାକ୍ତରଖାନାରେ ଜେନେରେଟରର ସୁବିଧା ନଥିବାରୁ ମୋବାଇଲ ଟର୍ଚ୍ଚରେ କରାଗଲା ଅସ୍ତ୍ରୋପଚାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡାକ୍ତରଖାନାରେ ଜେନେରେଟରର ସୁବିଧା ନଥିବାରୁ ମୋବାଇଲ ଟର୍ଚ୍ଚରେ କରାଗଲା ଅସ୍ତ୍ରୋପଚାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ରରେ । ଡାକ୍ତରଖାନାରେ ବିଦ୍ୟୁତ ଚାଲିଯିବା ପରେ ପ୍ରଥମେ ମହମବତିରେ ଚିକିତ୍ସା ଓ ପରେ ମୋବାଇଲ ଟର୍ଚ୍ଚରେ ପ୍ରସବ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଗତକାଲି ଅପରାହ୍ନ ୪ଟା ସମୟରେ କଳମ୍ବ ଗ୍ରାମର ତପସ୍ବିନୀ ସାହୁଙ୍କୁ ପୋଲସରା ଡାକ୍ତରଖାନାକୁ ଅଣାଯାଇଥିଲା। ସେତେବେଳକୁ ସେ ପ୍ରସବ ବେଦନା ଅନୁଭବ କରିସାରିଥିଲେ। ହଠାତ୍ ବିଦ୍ୟୁତ କାଟ ଯୋଗୁଁ ସମଗ୍ର ଡାକ୍ତରଖାନା ଅନ୍ଧାରରେ ଡୁବି ରହିଥିଲା। ଜେନେରେଟର୍ ସୁବିଧା ନଥିବାରୁ ସହସା ଆଲୁଅର କୌଣସି ବିକଳ୍ପ ବ୍ୟବସ୍ଥା ବି ନଥିଲା।

ଏହାପରେ, ପ୍ରଥମା ଚାମ୍ବର୍ ଭିତରେ ଡାକ୍ତର ପ୍ରଜ୍ଞାଙ୍କୁ ମହମବତି ଲଗାଇ ରୋଗୀ ସେବା କରିବାକୁ ପଡ଼ିଥିଲା। ଏପଟେ ଲେବର୍ ରୁମ୍ରେ ମୋବାଇଲ୍ ଟର୍ଚ୍ଚ ଦ୍ବାରା ତପସ୍ବିନୀଙ୍କ ପ୍ରସବ କାର୍ଯ୍ୟ ଚାଲିଥିଲା। ସନ୍ଧ୍ୟା ୭ଟାରେ ତପସ୍ବିନୀଙ୍କୁ ଲେବର୍ ରୁମ୍କୁ ନିଆ ଯାଇଥିବାବେଳେ ମୋବାଇଲ୍ ଟର୍ଚ୍ଚ ଲଗାଇ ତାଙ୍କୁ ଇଞ୍ଜେକ୍ସନ୍ ଦେବାସହ ପ୍ରସବ କରାଗଲା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଆସି ନଥିଲା। ଆଉ ସୁରକ୍ଷିତ ଅସ୍ତ୍ରୋପଚାର ଦ୍ବାରା ତପସ୍ବିନୀ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ଏପରି ଘଟଣାକୁ ନିନ୍ଦା କରିବା ସହ ଅନେକ ଏନେଇ ତୀବ୍ର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

Related Posts