ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବଡ ବୟାନ: ବିଧାୟକ ମାନଙ୍କ ମଧ୍ୟରୁ ପିସିସି ସଭାପତି ନ କରାଗଲେ ବଢିବ ଅସନ୍ତୋଷ

ଭୁବନେଶ୍ୱର; ରାଜ୍ୟରେ ଏବେ କଂଗ୍ରେସ ସ୍ଥିତି ଜଟିଳ | ଦଳୀୟ କନ୍ଦଳ ସିତିକୁ ଆହୁରି ଖରାପ ଆଡକୁ ନେଇ ଚାଲିଛି | ସେପଟେ ପିସିସି ସଭାପତି ପରିବର୍ତନ ନେଇ ଜୋର ଧରିଥିବା ବେଳେ, କିଏ ହେବ ପିସିସି ସଭାପତି? କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ? କିଛି ଏଭଳି ପ୍ରଶ୍ନ ଏବେ କଂଗ୍ରେସ କର୍ମୀଙ୍କ ମନରେ ଉଠୁଛି । ଆଉ ଏହାରି ଭିତରେ ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଛନ୍ତି ବଡ ବୟାନ । ତାରା କହିଛନ୍ତି, ପିସିସି ପରିବର୍ତ୍ତନ ସୁନିଶ୍ଚିତ । କିନ୍ତୁ ପିସିସି ସଭାପତି ପଦ ବିଧାୟକ ମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ । ଯଦି ବିଧାୟକ ମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ ।

ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ ଦଳ ଦମ ଦେଖେଇ ପାରିବ । ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକ ମାନଙ୍କ ମଧ୍ୟରୁ କାହାକୁ ନଦେଲେ ଆମ ଭିତରେ ଅସନ୍ତୋଷ ରହିବ । ଦଳ ଛାଡିବୁନି କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ଜଣାଇବୁ । ଠିକ୍ ଭାବେ ଫୁଟବଲ ଖେଳିଲେ ଗୋଲ ନିଶ୍ଚୟ ହେବ । କଂଗ୍ରେସର ନବକଳେବର ହେବ, ସଙ୍ଗଠନ ସୁଦୃଢ ହେଲେ ଲୋକଙ୍କର ବିଶ୍ୱାସ ବଢିବ ।

ଅନ୍ୟପଟେ ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଜଣେ ବିଧାୟକଙ୍କୁ ପିସିସି ସଭାପତି କରାଗଲେ ଭଲ । କଂଗ୍ରେସ ଗୋଟିଏ ଶୃଙ୍ଖଳିତ ଦଳ । ଗତ କିଛି ବର୍ଷ ହେବ କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇ ଚାଲିଛି । ତେଣୁ ଏବେ କଂଗ୍ରେସକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ଗ୍ରହଣ କରିବୁ ଓ କଂଗ୍ରେସକୁ ତୃଣମୂଳସ୍ତରରେ ସଙ୍ଗଠିତ କରିବାକୁ କାର୍ଯ୍ୟ କରିବୁ ।

ସେହିଭଳି ପିସିସି ପରିବର୍ତ୍ତନକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେବଳ ପିସିସି ନୁହଁନ୍ତି ବରଂ କଂଗ୍ରେସ ବିଧାୟକ ଦଳ ନେତା ବଦଳିବାର ଆବଶ୍ୟକତା ରହିଛି । ଏ କଥା ଦଳର ପ୍ରାୟ ଅଧିକାଂଶ ବିଧାୟକ କହୁଛନ୍ତି । ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ସାଲୁଜା କହିଛନ୍ତି ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ । ସେ ଯିଏ ହୁଅନ୍ତୁ ନା କାହିଁକି ପୂର୍ବତନ ସଭାପତି ହୁଅନ୍ତୁ କି ବିଧାୟକ ହୁଅନ୍ତୁ ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆମେ ଦଳର ଶୃଙ୍ଖଳିତ କର୍ମୀ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ ।

Related Posts