ବାଲେଶ୍ଵରରେ ଶୁଦ୍ଧିକ୍ରିୟା ଭୋଜିରେ ଚଢାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କରୋନା ନେଇ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା ଉପରେ କଡା କଟକଣା ଲାଗୁଥିବା ବେଳେ ଅମାନିଆଙ୍କ ତାଉ କମୁନାହିଁ। ବାଲେଶ୍ଵରରେ ଏକ ଶୁଦ୍ଧିକ୍ରିୟା ଭୋଜିରେ ଚଢାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ହଳଦୀପଡା ଫାଣ୍ଡି ଓଡଙ୍ଗୀ ପଞ୍ଚାୟତର ହିଞ୍ଜିଳି ଗାଁରେ।ଖବରପାଇ ଘଟଣାସ୍ଥଳରେ ଜିଲ୍ଲାପାଳ କ‌େ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଈଶ୍ବର ଆଶିଷ ପାଟିଲ୍‌ ଏବଂ ଆଇଆଇସି କ୍ଷମାସାଗର ପଣ୍ଡା ଘଟଣାସ୍ଥଳ‌ରେ ପହଞ୍ଚିବା ପରେ ଉତ୍ତ୍ୟକ୍ତଲୋକ ଛତ୍ରଭଙ୍ଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ରମେଶ ରାଉତଙ୍କ ପତ୍ନୀ ହୀରାମଣି ରାଉତଙ୍କ କରୋନାରେ ମୃତ୍ୟୁ ହେବା ପରେ ତାଙ୍କ ଏକାଦଶହ କ୍ରିୟା ଅନୁଷ୍ଠିତ ହୋଇଥିଲା । କୋଭିଡ୍ କଟକଣା କାରଣରୁ ୨୦ ଜଣଙ୍କ ପାଇଁ ଅନୁମତି ଥିବା ବେଳେ ୫୦୦ରୁ ଅଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଖବର ପାଇ ସନ୍ଧ୍ୟା ପାଖାପାଖି ସାଢ଼େ ୭ଟା ସମୟରେ ସଦର ତହସିଲ୍‌ଦାର ଅନାମିକା ସିଂହ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ଶହ ଶହ ଲୋକଙ୍କ ପାଇଁ ଭୋଜି ‌ଆୟୋଜନ ଦେଖି ସଙ୍ଗେ ସଙ୍ଗେ କର୍ମଚାରୀଙ୍କୁ ଖାଦ୍ୟ ଜବତ ପାଇଁ କହିଥିଲେ। ତହସିଲ୍‌ଦାରଙ୍କ ଚଢ଼ାଉ ଦେଖି ଉକ୍ତ ବ୍ୟକ୍ତିଙ୍କ ସମର୍ଥକମାନେ ଘେରିଯାଇଥିଲେ। ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିଲେ। ପାଖାପାଖି ୨ଘଣ୍ଟାକାଳ ଧରି ଖଣ୍ଡଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ପୁଲିସ ପହଞ୍ଚି ହସ୍ତକ୍ଷେପ ପରେ ସ୍ଥିତି ଆୟତ ହୋଇଥିଲା। ଏନେଇ ତହସିଲ୍‌ଦାର ସଦର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ମଙ୍ଗଳବାର ଦିନ ରୁପ୍‌ସା ଥାନା କଷିପଦା ଅଞ୍ଚଳରେ ମନ୍ଦିର ପୂଜା ପାଇଁ ୫ଶହ ଲୋକଙ୍କ ଭୋଜି ଆୟୋଜନକୁ ସଦର ତହସିଲ୍‌ଦାର ପଣ୍ଡ କରିବା ଘଟଣାର ୨୪ ଘଣ୍ଟା ନପୁରୁଣୁରୁ ପୁଣି ଏକ ବ୍ୟତିକ୍ରମ ସଦର ଥାନା ହଳଦୀପଦା ଫାଣ୍ଡି ଓଡ଼ଙ୍ଗୀ ପଞ୍ଚା‌ୟତ ହିଞ୍ଜିଳି ଅଞ୍ଚଳରେ ଦେଖାଦେଇଛି। ଉଦ୍‌ବେଗର ବିଷୟ ହେଉଛି କରୋନା ଯୋଗୁଁ ପରିବାରର ଜଣେ ସଦସ୍ୟଙ୍କୁ ହରାଇଛନ୍ତି। ଆଉ ଜଣେ ସଦସ୍ୟ କ‌ୋ‌ରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏଭଳି ଏକ କଠୋର ପରିସ୍ଥିତିରେ ୫ଶହ ଲୋକଙ୍କ ପାଇଁ ଆୟୋଜନ କରିବା ସମସ୍ତଙ୍କୁ ବିସ୍ମିତ କରିଛି। ଘଟଣାର ପ୍ରତିବାଦ କରି ଆଜି ତହସିଲଦାର କାର୍ଯ୍ଯରେ ଯୋଗ ଦେଇନଥିବା ଜଣାପଡିଛି।

Related Posts