
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଓଡିଶାର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଟେଷ୍ଟିଂ , ଭେଂଟିଲେଟର, ଟିକାକରଣ ଓ ଅମ୍ଳଜାନ ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ରମନ୍ତ୍ରୀ ପରମର୍ଶ ଦେଇଛନ୍ତି। ଏବଂ ଓଡ଼ିଶାରେ ପରିଚାଳିତ ପିଏସୟୁ, କେନ୍ଦ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନ, ବ୍ୟାଙ୍କିଂ ତଥା କର୍ପୋରେଟ୍ ସେକ୍ଟର ଗୁଡିକ ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ତିଆରି କରିବା ଦରକାର । ପିଏସୟୁ ଗୁଡିକ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ନିଜ କର୍ମଚାରୀଙ୍କୁ ଟୀକ ଦେବାକୁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ରାଜ୍ୟର ଦୁଇଟି ଅଗ୍ରଣୀ ସଂସ୍ଥା ଆରଏମଆରସି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସ(ILS)କୁ ଅଧିକରୁ ଅଧିକ ଟେଷ୍ଟିଂକୁ ବୃଦ୍ଧି କରିବା ପାଇଁ ଗୁରୁତ୍ବାରୋପ କରିଛନ୍ତି। ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବ୍ୟାପକ କରିବା ସହ ଆଇସୋଲେସନ ବେଡ୍ ବୃଦ୍ଧି , ଆଇସିୟୁ ଏବଂ ଅକ୍ସିଜେନ ବେଡକୁ ବୃଦ୍ଧି କରିବା ଦିଗରେ ସମସ୍ତେ ମିଳିତ ଭାବେ ପଦକ୍ଷେପ ନେବା ସହ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ମହାମାରୀର ମୁକାବିଲା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ,ଏମ୍ସ, ଆଇଏଲଏସ, ଆରଏମଆରସି , ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀ ସାମିଲ ଥିଲେ।