ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ; ପୁରୀରେ ଏଏସଆଇ ଟିମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଏହା ମଧ୍ୟରେ ଐତିହ୍ୟ କରିଡରକୁ ତଦାରଖ କରିବା ପାଇଁ ପୁରୀ ପହଞ୍ଚିଛନ୍ତି ଏଏସଆଇ ଟିମ । ପ୍ରଥମେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଐତିହ୍ୟ କରିଡର ବୁଲି ଦେଖିବେ । ଏଏସ୍‌ଆଇ ଟିମ୍‌ଙ୍କ ସହ ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସ୍‌ପି ଉପସ୍ଥିତ ରହିଛନ୍ତି । ସେପଟେ ମାର୍ଚ୍ଚ ୩ତାରିଖରେ ପ୍ରକଳ୍ପକୁ ବିରୋଧ ଏବଂ ଶ୍ରୀମନ୍ଦିର ପ୍ରତି ପ୍ରକଳ୍ପ ବିପଦ ସୃଷ୍ଟି କରୁଥିବା ଅଭିଯୋଗରେ ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାଖଲ ହୋଇଥିଲା । ଏହାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ । ଏପ୍ରିଲ ୮ ତାରିଖରେ ହାଇକୋର୍ଟ ଶୁଣାଣି ତାରିଖର ୩ଦିନ ପୂର୍ବରୁ ପ୍ରକଳ୍ପର ଯୁଗ୍ମ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ ।

ପରବର୍ତ୍ତୀ ଶୁଣାଣି ତାରିଖ ଥିଲା ୨୭ ଏପ୍ର୍ରିଲ । ଏହି ତାରିଖ ସୁଦ୍ଧା ଏଏସଆଇ ରିପୋର୍ଟ ଦଖଲ କରି ପାରିନଥିଲା । ଏଥିପାଇଁ ଏଏସଆଇ ଓକିଲ ଅଧିକ ସମୟ ମାଗିଥିଲେ ।ସମୟ ଆବେଦନକୁ ବିଚାର କରି ଅଦାଲତ ମେ ୧୬ ତାରିଖର ପରବର୍ତ୍ତୀ ଶୁଣାଣି ତାରିଖ ନିର୍ଦ୍ଧାରଣ କରିଥିଲେ । ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାମ ସରିଯାଇପାରେ ଆଶଙ୍କା କରି କୋର୍ଟଙ୍କ ଶୁଣାଣି ତାରିଖକୁ କମାଇବାକୁ ଆଉ ଏକ ଆବେଦନ କରାଯାଇଥିଲା । ଏହି ଆଧାରରେ ହାଇକୋର୍ଟ ମେ’ ୯ ତାରିଖରେ ଶୁଣାଣି ତାରିଖ ନିର୍ଦ୍ଧାରଣ କରିଛନ୍ତି । ଏହି ଶୁଣାଣି ତାରିଖର ଦୁଇ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି । ଏହି ପୃଷ୍ଠଭୂମିରେ ଏଏସଆଇ ଟିମ୍ ପରିଦର୍ଶନକୁ ଗୁରୁତ୍ୱ ଦିଆଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts