ଜୁଲାଇ ୫ ତାରିଖ ସୁଦ୍ଧା ଜିଲ୍ଲାୱାରୀ କୋଭିଡ୍ ମୃତ୍ୟୁ ରିପୋର୍ଟ ମାଗିଲେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କୋଭିଡ-19 ମୃତ୍ୟୁ ସଂପର୍କରେ ଜିଲ୍ଲାୱାରୀ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଜୁଲାଇ ୫ ତାରିଖ ସୁଦ୍ଧା ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାର ସଠିକ ନିରୂପଣ ପାଇଁ ସ୍ୱତନ୍ତ୍ର ଅଡିଟ କରାଇବା ଦାବିରେ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦ୍ବାରା ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି କୋର୍ଟ ଏହି ତଥ୍ୟ ମାଗିଛନ୍ତି । କୋଭିଡ୍‌ ମୃତ୍ୟୁସଂଖ୍ୟା ଜନିତ ସରକାରୀ ତଥ୍ୟରେ ତାଳମେଳ ରହୁ ନଥିବା ପ୍ରସଙ୍ଗକୁ ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହୁଥିବା ବେଳେ ଏହାର ସ୍ୱତନ୍ତ୍ର ଅଡିଟ କରାଇବା ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। କୋର୍ଟ କହିଛନ୍ତି ଯେ, ” ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ତଥ୍ୟକୁ ଆଧାର କରି ଆବେଦନକାରୀ ତରବରିଆ ଭାବେ ଏହି ଆବେଦନ କରିଛନ୍ତି। ସେ ଜୁନ୍ 16 ରେ ଇ-ମେଲ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଏକ ଆବେଦନ କରିଥିଲେ କିନ୍ତୁ ପ୍ରତିକ୍ରିୟାକୁ ଅପେକ୍ଷା ନକରି ଜୁନ୍ 18 ରେ ତୁରନ୍ତ ଓଡ଼ିଶା ହାଇକୋର୍ଟର ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ତେଣୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟର ପ୍ରଧାନ ବିଚାରପତି ଏସ ମୁରଲିଧର ଏବଂ ଜଷ୍ଟିସ ଏସ.କେ ପାଣିଗ୍ରାହିଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଯେ, ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେନେଇ ସବିଶେଷ ତଥ୍ୟ ଦାଖଲ କରନ୍ତୁ । ମୃତ୍ୟୁ ସଂଖ୍ୟା ବିବାଦ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଦନ୍ତ କରିଛନ୍ତି କି ନାହିଁ, ତାହା ମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Posts