ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଜାରି ରହିଥିବା ପ୍ରକ୍ରିୟା ମଧ୍ୟରେ ଚାଷୀଙ୍କ ସମସ୍ୟା ସବୁଠୁ ବଡ଼ ପ୍ରସଙ୍ଗ ହୋଇ ଉଭା ହୋଇଛି। ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଶେଷ ମୁହୂର୍ତ୍ତରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ୨୦୦ କୋଟି ଇନ୍ପୁଟ୍ ସବ୍ସିଡି ଘୋଷଣା କରିଛନ୍ତି। ସେହିପରି ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଚାଷୀଙ୍କ ଆକାଉଣ୍ଟକୁ ଆସିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ତେବେ ଉଭୟ ସରକାରଙ୍କ ଘୋଷଣା ଚାଷୀଙ୍କୁ କିନ୍ତୁ ସନ୍ତୁଷ୍ଟ କରିପାରି ନାହିଁ। ବରଂ, ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ନଆସିବା ଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନରତ ଚାଷୀ ସଙ୍ଗଠନ ଚରମ ବାଣୀ ଶୁଣାଇଛନ୍ତି।
ରାଜବୋଡ଼ା କୃଷକ ସଙ୍ଗଠନ ନେତୃତ୍ବରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୧୭ ଦିନରେ ପହଁଚିଛି। ଗୋଟିଏପଟେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରୁଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଧାରଣା ବି ଚାଲିଥିଲା। ଏହାପରେ ରାଜବୋଡ଼ା କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସଙ୍ଗଠନର ସଭାପତି ବାଞ୍ଝାନିଧି ନାୟକ, ଆବାହକ ଅଶୋକ ସାହୁ, ଅଜିତ ଶତପଥୀ, ଚାଷୀନେତା ଲିଙ୍ଗରାଜ ପ୍ରଧାନ ପ୍ରମୁଖ କହିଥିଲେ, ଇନ୍ପୁଟ୍ ସବ୍ସିଡି, ଫସଲବୀମା ଘୋଷଣାରେ ସେମାନେ ନିଷ୍ପତ୍ତିରୁ ଓହରିଯିବେ ନାହିଁ। ଯେପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ। ଚାଷୀଙ୍କ ସମସ୍ୟା ସମାଧାନ କେନ୍ଦ୍ର ଓ ରାଜ୍ୟ ସରକାର କରିପାରି ନଥିବାରୁ ଆଗାମୀ ନିର୍ବାଚନରେ ହିଁ ଏହାର ଉଚିତ ଜବାବ ଦିଆଯିବ ବୋଲି ଚାଷୀମାନେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଚାଷୀନେତା ରବି ପ୍ରଧାନ, ଅରବିନ୍ଦ ପଣ୍ତା, ଅଶୋକ ସାହୁ, ମୁରଲି ଭୋଇ, ଦହିତ ସାହୁ, ଶୁକଦେବ ମେହେର, ସାମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।





