ଭାରତ ଯୋଡ଼ୋ ଯାତ୍ରା ପାଇଁ କେରଳର କଂଗ୍ରେସ କର୍ମୀ ଚାନ୍ଦା ମାଗୁଥିବା ଭିଡ଼ିଓ ଭାଇରାଲ, ଦଳ ପକ୍ଷରୁ ୩ କର୍ମୀ ନିଲମ୍ବିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାକୁ ନେଇ ବିବାଦ ଥମିବାର ନାଁ ଧରୁନି। କେତେବେଳେ ପଦଯାତ୍ରାରେ ସାମିଲ ଥିବା ରାହୁଲ ଗାନ୍ଧିଙ୍କ ଟି-ଶାର୍ଟକୁ ନେଇ ବିବାଦ ଦେଖାଯାଉଛି ତ ଆଉ କେତେବେଳେ ଦଳର ବିଶ୍ରାମ ପାଇଁ ପ୍ରସ୍ତୁତ କରାଯାଇଥିବା କଣ୍ଟେନରକୁ ନେଇ ବିବାଦ ଦେଖା ଦେଉଛି। ଏସବୁ ଭିତରେ କିଛି କଂଗ୍ରେସ କର୍ମୀ ଭାରତ ଯୋଡ଼ୋ ଯାତ୍ରା ସମୟରେ ଗୁଣ୍ଡାଗର୍ଦ୍ଦି କରିବା ସହ ବଳ ପୂର୍ବକ ଚାନ୍ଦା ଦେବାକୁ ବାଧ୍ୟ କରିବା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି। କେରଳର କୋଲ୍ଲାମ ଅଞ୍ଚଳରେ କଂଗ୍ରେସର କର୍ମୀମାନେ ଜଣେ ପରିବା ବିକାଳୀଙ୍କ ଠାରୁ ବଳପୂର୍ବକ ଚାନ୍ଦା ଆଦାୟ କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆଜି ଦଳ ପକ୍ଷରୁ ୩ ଜଣ କଂଗ୍ରେସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁସାରେ, ଭାରତ ଯୋଡ଼ୋ ଯାତ୍ରା ସମୟରେ କିଛି କଂଗ୍ରେସ କର୍ମୀ ପରିବା ବିକାଳୀଙ୍କୁ ଚାନ୍ଦା ପାଇଁ ଧମକ ଦେଇଥିଲେ। ଯାତ୍ରା ପାଇଁ ଆବଶ୍ୟକ ଅର୍ଥ ନ ଦେବାରୁ ସେମାନେ ତାଙ୍କ ପରିବା ପତ୍ର ଫିଙ୍ଗି ଦେଇଥିଲେ। ଏଥିସହ ଦୋକାନରେ ଥିବା କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ କଂଗ୍ରେସ କର୍ମୀଙ୍କ ଆଚରଣକୁ ସମାଲୋଚନା କରାଯାଇଥିଲା। ଏବେ ଦଳ ଘଟଣାରେ ସାମିଲ ଥିବା ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କେରଳ କଂଗ୍ରେସ ମୁଖ୍ୟ କେ ସୁଧାକରନ ଟ୍ୱିଟ କରି କହିଛନ୍ତି।

ଏନେଇ କଂଗ୍ରେସର ଯୋଗାଯୋଗ ବିଭାଗର ଦାୟିତ୍ୱରେ ଥିବା ଜୟରାମ ରମେଶ କହିଛନ୍ତି ଯେ, କେରଳ ପ୍ରଦେଶ କଂଗ୍ରେସ କମିଟି ଦୀର୍ଘ ବର୍ଷ ହେଲା ଲୋକଙ୍କ ଚାନ୍ଦାରେ ଚଳୁଛି। ସେମାନଙ୍କ ରାଜନୀତି ତୃଣମୂଳ ସ୍ତରରୁ ମିଳୁଥିବା ଛୋଟ ଛୋଟ ଡୋନେସନ ଦ୍ୱାରା ପରିଚାଳିତ। କିନ୍ତୁ କୋଲ୍ଲାମରେ ଯେଉଁ ଘଟଣା ଘଟିଲା, ତାହା ଆଦୌ ଗ୍ରହଣୀୟ ନୁହେଁ। ଘଟଣା ଘଟାଇଥିବା ୩ ଜଣଙ୍କ ବିରୋଧରେ ପିସିସି ସଭାପତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେ କହିଛନ୍ତି।

Related Posts