ୟୁକ୍ରେନ୍‌କୁ ୬୨୫ ମିଲିୟନ ଆମେରିକୀୟ ଡଲାର ସହାୟତା ସହ ଯୁଦ୍ଧାସ୍ତ୍ର ଦେଲା ଆମେରିକା

ୱାଶିଂଟନ: ଋଷ-ୟୁକ୍ରେନ୍ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ତେବେ ଏହାରି ମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ବାରମ୍ବାର ସହାୟତା ଦେବା ଜାରି ରଖିଛି। ଏବେ ପୁଣି ୟୁକ୍ରେନ୍‌କୁ ୬୨୫ ମିଲିୟନ ଆମେରିକୀୟ ଡଲାର ସହାୟତା ଦେବା ସହ କିଛି ଯୁଦ୍ଧାସ୍ତ୍ର ବି ଯୋଗାଇଛି ଆମେରିକା। ଏମିତିକି ହାଇ ମୋବିଲିଟି ଆର୍ଟିଲାରୀ ରକେଟ୍ ସିଷ୍ଟମ(HIMARS) ଲଞ୍ଚର ଦେଇଛି। ଆମେରିକାର ସହାୟତା ଯୁଦ୍ଧକୁ ଆହୁରି ବଢ଼ାଉଛି ବୋଲି ଋଷ ଅଭିଯୋଗ କରିଛି।

ଋଷ କବଳରୁ ଦକ୍ଷିଣ ଓ ପୂର୍ବ ୟୁକ୍ରେନ୍‌କୁ ଛଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ୟୁକ୍ରେନ୍‌। ଏହି ସମୟରେ ଆମେରିକାର ସହଯୋଗ ଋଷ ପାଇଁ ଚନ୍ତାର କାରଣ ପାଲଟିଛି। ଏନେଇ ଆମେରିକା ରାଷ୍ଟ୍ରପତି ମଙ୍ଗଳବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନ୍‌ସ୍କିଙ୍କ ସହ ଆଲୋଚନା ବି କରିଛନ୍ତି। ଉପରାଷ୍ଟ୍ରପତି କମଲା ହେରିସଙ୍କ ସହ ବୈଠକରେ ଆଲୋଚନା କରି ୟୁକ୍ରେନ୍‌କୁ ସହଯୋଗ ଜାରି ରଖିବେ ବୋଲି ବାଇଡେନ୍ କହିଛନ୍ତି। ଋଷର କ୍ରୋଧର ମୁକାବିଲା କରିବା ପାଇଁ ଆମେରିକା ୟୁକ୍ରେନ୍‌କୁ ସହଯୋଗ ଜାରି ରଖିବା ବୋଲି ହ୍ୱାଇଟ୍‌ ହାଉସ୍ ପକ୍ଷରୁ କୁହାଯାଇଛି।

ଜେଲେନସ୍କି କହିଛନ୍ତି ଯେ ତାଙ୍କ ସେନା ଦ୍ରୁତ ଗତିରେ ସେହିସବୁ ଗାଁକୁ ଛଡ଼ାଇ ଆଣୁଛି ଯାହା ଋଷ କବ୍ଜ କରିଥିଲା। ଦୁଇଟି ଯୁଦ୍ଧ କରି ଡଜନରୁ ଅଧିକ ଗାଁକୁ ଋଷ କବଳରୁ ଛଡ଼ାଇ ନିଆଯାଇଛି ବୋଲି ଜେଲେନସ୍କି କହିଛନ୍ତି।

ଆମେରିକା ଯୁଦ୍ଧାସ୍ତ୍ର ଭଣ୍ଡାରରୁ ତୁରନ୍ତ ଅଧିକ ୪ଟି HIMARS , ୩୨ ହାଓତଜର୍ସ, ୭୫ ହଜାର ରାଉଣ୍ଡ ଗୁଳି, ୨୦୦ ମିନି ରେଜିଷ୍ଟାନ୍ସ ଅମ୍ବୁସ ପ୍ରୋଟେକ୍ଟେଡ୍‌(ଏମ୍‌ଆର୍‌ଏପି) ଭେଇକିଲ ଓ କ୍ଲେମମୋର ଆଣ୍ଟ ପର୍ସୋନେଲ୍ ମାଇନ୍ସ ଆଦି ଅସ୍ତ୍ର ତୁରନ୍ତ ସପ୍ଲାଏ କରାଯାଉ ବୋଲି ହ୍ୱାଇଟ୍ ହାଉସ୍ କହିଛି ।

Related Posts