କମୁଛି ସୁବର୍ଣ୍ଣରେଖାର ଜଳସ୍ତର, ବଢୁଛି ବାଲେଶ୍ଵର ବାସୀଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‌ର ସମସ୍ତ ୨୦ଟି ଗେଟ ଖୋଲାଯାଇଥିବାରୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ରାଜଘାଟସ୍ଥିତ ପୋଲ ନିକଟରେ ବିପଦସଙ୍କେତ ୧୦.୩୬ ମିଟର ଥିବାବେଳେ ସୋମବାର ପୂର୍ବାହ୍ନ ୫ଟା ସୁଦ୍ଧା ୧୧.୯୦ ମିଟର ଥିବା ବେଳେ ଧୀରେ ଧୀରେ ଜଳସ୍ତର କମି ସନ୍ଧ୍ୟା ୬ଟା ସୁଦ୍ଧା ୧୧.୪୨ମିଟରରେ ପହଞ୍ଚଛି।ସେହିପରି ବସ୍ତା ବ୍ଲକ ମଥାନୀ ପୋଲ ନିକଟରେ ଜଳକା ନଦୀରେ ବିପଦସଙ୍କେତ ୫.୫୦ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬.୫୦ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଜିଲାର ପ୍ରାୟ ୪ଟି ବ୍ଲକ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳରେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ବିସ୍ଥାପନ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ସହ ସେମାନଙ୍କୁ ଖାଦ୍ୟ, ପାନୀୟ ଓ ସ୍ବାସ୍ଥ୍ୟସେବା ଲାଗି ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୧୨, ଏନ୍‌ଡିଆର୍‌ଏଫ୍‌ ୪, ଓଡ୍ରାଫ୍‌ ୫ ମୋଟ୍‌ ୨୧ଟି ଟିମ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି ସ୍ବାସ୍ଥ୍ୟସେବା ଲାଗି ୧୦ଟି ମେଡ଼ିକାଲ ଟିମ୍‌, ୯ଟି ୧୦୮ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ୮ଟି ରୋଡ୍‌ ଟିମ୍‌ ଦ୍ୱାରା କାର୍ଯ୍ୟ ତଦାରଖ କରାଯାଉଛି। ବନ୍ୟାରେ ଜିଲାରେ ମୋଟ ୫ଟି ବ୍ଲକ ଅଧୀନ ୮୩ ପଞ୍ଚାୟତର ୧୫୬ଗାଁରୁ ୪୦ହଜାର ୧୨୪ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ୧୫୮ ମାଗଣା ଖାଦ୍ୟବଣ୍ଟନ କେନ୍ଦ୍ର ଖୋଲାଯିବା ଲାଗି ଯୋଜନା କରାଯାଇଛି। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର କମିଯାଇଥିବାରୁ ସଦର ଓ ରେମୁଣା ବ୍ଲକରେ ପାଣି ଛାଡ଼ିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ମୋଟ୍‌ ୮୫ପଞ୍ଚାୟତର ୨୨୪ଗାଁରୁ ୨୮ହଜାର ୯୦୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୬୩ ବାତ୍ୟା ଆଶ୍ରୟସ୍ଥଳ ରଖାଯାଇଛି। ୧୫୭ ମାଗଣା ଖାଦ୍ୟ ବଣ୍ଟନ କେନ୍ଦ୍ର କରାଯାଇଛି। ଆର୍‌ଡିସି ସେଣ୍ଟ୍ରାଲ ଡିଭିଜନ ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ପହଞ୍ଚତ୍ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିଛନ୍ତି, ଜିଲାର ବହୁ ଗ୍ରାମଗୁଡ଼ିକ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେ ବି ବିପଦ ସଂକେତ ଉପରେ ରହିଛି। ଏଥିପାଇଁ ପାଣି ଅଞ୍ଚଳକୁ ନ ଯିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ବନ୍ୟା ପୀଡ଼ିତଙ୍କ ପାଇଁ ଶୁଖିଲା ଖାଦ୍ୟ ବହୁମାତ୍ରାରେ ଗଚ୍ଛିତ ରହିଛି। ପ୍ରତି ବ୍ଲକରେ ଏହା ଗଚ୍ଛିତ ଥିବା ବେଳେ ଲୋକମାନଙ୍କୁ ବିତରଣ କରାଯାଉଛି। ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ବେଳେ ଯେଉଁଠି ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ପାରିନାହିଁ ସେମାନେ କ୍ଲଷ୍ଟର ଲେବୁଲ ଟିମ୍‌କୁ ଜଣାଇଲେ ଖାଦ୍ୟ ଯୋଗାଇ ଦିଆଯିବ। ଯେତେଦିନ ଯାଏ ବନ୍ୟା ପରିସ୍ଥିତି ରହିବ ଓ ଯୋଗାଯୋଗ ସୁବ୍ୟବସ୍ଥା ହୋଇ ନ ଥିବ ସେତେଦିନ ଯାଏ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କହିଛନ୍ତି।

Related Posts