ବାଲେଶ୍ୱର ସାର୍ଥା ତରଡ଼ାବୁଧିଆ ଗାଁରେ ଦୁଃଖଦ ଘଟଣା: ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ସାର୍ଥା ତରଡ଼ାବୁଧିଆ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ରିନା ଖଣ୍ତା। ତାଙ୍କୁ ୨୧ ବର୍ଷ ହୋଇଥିଲା। ରିନାଙ୍କ ସ୍ୱାମୀ ଶିବାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ରିନା ଓ ଶିବାନନ୍ଦ ରାତିରେ ଶୋଇଥିଲେ। ବିଳମ୍ବିତ ରାତିରେ ଶିବାନନ୍ଦଙ୍କ ନିଦ ଭାଙ୍ଗିଯିବାରୁ ଦେଖିଲାବେଳକୁ ରିନାଙ୍କ ଦେହରେ ନିଆଁ ଲାଗିଯାଇଛି। ଶିବାନନ୍ଦ ଦୌଡ଼ି ଆସି ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ରିନାଙ୍କୁ ମୃତଘୋଷଣା କରିଥିଲେ। ଶିବାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ରିନାଙ୍କ ଦେହରେ କିପରି ନିଆଁ ଲାଗିଲା, ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ କି ତାର କାରଣ ଜଣାପଡ଼ିନାହିଁ। ପାରବାରିକ କଳହ ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି । ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Related Posts