(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ପୁଲିସ୍ ଓ ଅବକାରୀ ବିଭାଗ ଏବେ ଗଞ୍ଜେଇ ଓ ବ୍ରାଉନସୁଗାର ବିରୁଦ୍ଧରେ ଅପରେଶନ ଆରମ୍ଭ କରି ଦେଇଛି। ଆଉ ଏହି ମଉକାରେ ଚୋରା ମଦ କାରବାର ବଢିବାରେ ଲାଗିଛି । ଗାଁ ଠୁ ସହର ପର୍ଯ୍ୟନ୍ତ ଦେଶୀ ଓ ବିଦେଶୀ ମଦର ଚୋରା ବେପାରୀମାନେ ସେମାନଙ୍କ ବେଆଇନ କାରବାର ବଢାଇ ଚାଲଛନ୍ତି ।
ରାଜ୍ୟରେ ଏବେ ବ୍ରାଉନସୁଗାର ବିରୁଦ୍ଧରେ ଜୋରଦାର ଚଢାଉ ଏବଂ ଜବତ କାମ ଜାରି ରହିଛି । ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଲମ୍ବିଥିବା ଚେରକୁ ଓପାଡିବା ପାଇଁ ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି । ପ୍ରତିଦିନ ଏହି ରୁଟ୍ରେ କୌଣସି ନା କୌଣସି ସ୍ଥାନରୁ ନିଶା ସାମଗ୍ରୀ ଜବତ ହେଉଛି । ଅନ୍ୟ ପକ୍ଷରେ ଦକ୍ଷିଣରୁ ଉପକୂଳ ପର୍ଯ୍ୟନ୍ତ ଚାଲିଥିବା ଗଞ୍ଜେଇ କାରବାର ଉପର ଲଗାମ ଲଗାଉଛି ଅବକାରୀ ଓ ପୁଲିସ୍ ବିଭାଗ । ପ୍ରାୟ ପ୍ରତଦିନ ବିପୁଳ ପରିମାଣର ଗଞ୍ଜେଇ ବି ଜବତ ହେଉଛି ।
ତେବେ ଏହି ମଉକାରେ ଚୋରା ମଦବେପାରୀମାନେ ସେମାନଙ୍କ ସାମ୍ରାଜ୍ୟ ବଢାଉଛନ୍ତି । ରାଜ୍ୟରେ ଚୋରା ମଦ କିଭଳି କାରବାର ହେଉଛି ଏହାର ଏକ ଉଦାହରଣ ହେଉଛି କଟକ ଜିଲ୍ଲା । କଟକ ଜିଲ୍ଲାରେ ୨୦୧୭-୧୮ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ଚୋରା ମଦ ଜବତ ମାମଲାରେ ୪ହଜାରରୁ ଅଧିକ ବ୍ୟକ୍ତି ଗିରଫ ହେଲେଣି ।
ତେବେ ଏମାନଙ୍କ ଠାରୁ ଦେଶୀମଦ, ବିୟର, ବିଦେଶୀମଦ ସବୁକିଛି ଜବତ ହେବାରେ ଲାଗିଛି । ଏହି ଜିଲ୍ଲାରେ ୨୦୧୭-୧୮ ବର୍ଷରେ ୧୦୨୮ କେସ ମଦ ଜବତ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ତାହା ୧୨୭୭ କେସ୍ରେ ପହଞ୍ଚିଥିଲା । ସୂଚନା ମୁତାବକ ଦେଶୀ ମଦ ତୁଳନାରେ ଭାରତ ତିଆରି ଏବଂ ଅନ୍ୟାନ୍ୟ ବିଦେଶୀ ମଦ ବିପୁଳ ପରିମାଣରେ ଧରାପଡିଥିଲା଼ ।
କଟକ ଜିଲ୍ଲା ଭଳି ସମଗ୍ର ଉପକୂଳ ଜିଲ୍ଲାରେ ଏବେ ଚୋରା ମଦ କାରବାର ବୃଦ୍ଧି ପାଇଛି। ବିଶେଷକରି ଗ୍ରାମାଞ୍ଚଳରେ ଏହି କାରାବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଚୋରା ମଦ କାରବାରର କାର୍ପଟଦାର ସାଜିଛନ୍ତି ଅଧିକାଂଶ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ।
ତେବେ ଗାଁ ଗଣ୍ଡାରେ ଛୁଟୁଥିବା ଚୋରାମଦ ସଂକ୍ରାନ୍ତରେ ସ୍ଥାନୀୟ ଅବକାରୀ ଓ ପୁଲିସ୍ ପ୍ରଶାସନ ଅବଗତ ଥିଲେ ମଧ୍ୟ , ମଝିରେ ମଝିରେ ଚଢାଉ ସହିତ କିଛି କିଛି ସାମଗ୍ରୀ ଜବତ ହେଉଛି । ହେଲେ ଏଭଳି ମାମଲା ରୁଜୁ ହେଉଛି ଯେ ଅଳ୍ପଦିନ ପରେ ଜେଲ୍ ଯାଉଥିବା ମଦବେପାରୀଙ୍କ ମଧ୍ୟରୁ ଅଧିକାଂଶ ଜାମିନ୍ରେ ଆସି ନିଜ ନିଜ କାରବାର ସମ୍ଭାଳିବାରେ ଲାଗିଛି ।
ଗୋଟିଏ ପଟେ ଅବକାରୀ ବିଭାଗରେ ଶହ ଶହ ପଦବୀ ଖାଲି ଓ ଅନ୍ୟ ପଟେ ମଦ ବେପାରୀଙ୍କ ସକ୍ରିୟତା ଏବେ ସାରା ରାଜ୍ୟରେ ଚୋରା ମଦକାରବାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ତେଣୁ ସହରାଞ୍ଚଳରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରି ପୁଲିସ୍ ଯେଭଳି ପ୍ରଶଂସା ସାଉଣ୍ଟୁଛନ୍ତି ଅନୁରୂପ କାର୍ଯ୍ୟାନୁଷ୍ଠାନ ଗାଁ ଗହଳରେ ଚୋରାମଦ ବିରୁଦ୍ଧରେ ଚଳାଇବାକୁ ଲୋକ କହୁଛନ୍ତି।