ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କଲେ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଶୁକ୍ରବାର କୃଷ୍ଣଙ୍କ ହାତରେ କଂସବଧ ହେବାପରେ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହାପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନକରି ନିଜର ପଇତା ସମର୍ପଣ ଓ ସୂର୍ଯ୍ୟ ନମସ୍କାର କରି ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ। ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ ଓ ନିଜେ କରିଥିବା ପାପରୁ ମୁକ୍ତି ଭିକ୍ଷା କରିଥିଲେ।

ମହାରାଜ କଂସ ଶଙ୍କରାଚାର୍ଯ୍ୟଙ୍କ ନିକଟରୁ ଆଶିଷ ଗ୍ରହଣ କରି ସିଧାସଳଖ ଶ୍ରୀମନ୍ଦିର ଯାଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜ ଭକ୍ତି ରୂପକ ଅର୍ଘ୍ୟକୁ ଅର୍ପଣ କରିବା ସହ ଦୀର୍ଘ ୧୧ଦିନ ଧରି ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

ସୂଚନାଯୋଗ୍ୟ ଯେ, ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କଂସବଧ ସହ ଶେଷ ହୋଇଛି । ବରଗଡ଼ (ମଥୁରାନଗରୀ) ଓ ବରଗଡ଼ ସନ୍ନିକଟ ଜୀରା ନଦୀ ଅପର ପାଶ୍ୱର୍ସ୍ଥ (ଗୋପପୁର) ଅମ୍ବାପାଲିରେ ଚାଲିଥିବା ୧୧ ଦିନର ସାଂସ୍କୃତିକ ଯାତ୍ରା ଉଦ୍‌ଯାପିତ ହୋଇଛି। କଂସମୃତ୍ୟୁରେ ଆନନ୍ଦିତ ମଥୁରାବାସୀ କୃଷ୍ଣ ବଳରାମଙ୍କୁ ସ୍ୱାଗତ କରିଥିଲେ । ବେନିଭ୍ରାତା କାରାଗାରରୁ ମାତା ଦେବକୀ ଓ ପିତା ବସୁଦେବଙ୍କୁ ମୁକୁଳାଇଥିଲେ । ପିତାମହ ଉଗ୍ରସେନଙ୍କୁ ପୁନଶ୍ଚ ମଥୁରା ସିଂହାସନରେ ବସାଇଥିଲେ । ମଥୁରାରେ ବିଜୟ ଉତ୍ସବ ସ୍ୱରୂପ “ପୁଷପୁନି’ ସଜବାଜ ଆରମ୍ଭ ହୋଇଥିଲା ।

Related Posts