
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ଧରି ଭାରତର ଚିତା ପ୍ରକଳ୍ପ ପାଇଁ ସର୍ବଦା ଆଗରେ ରହିଆସିଥିବା ତଥା ଗତ ମାସରେ ନାମିବିଆରୁ ଚିତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରାଣୀବିଜ୍ଞାନୀ ଯାଦବିନ୍ଦ୍ରଦେବ ବିକ୍ରମସିନ୍ ଜାଲା ଚିତା ମାନଙ୍କ ପାଇଁ ଗଠନ ହୋଇଥିବା ନୂତନ ଟାସ୍କ ଫୋର୍ସରେ ନାହାନ୍ତି । ଏହି ଟାସ୍କ ଫୋର୍ସରୁ ତାଙ୍କର ବହିଷ୍କାର ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ୨୦୦୯ ମସିହାରୁ କ୍ରମାଗତ ଭାବରେ ସେ ସରକାରଙ୍କ ଉଚ୍ଚାଭିଳାଷୀ ଚିତା ପ୍ରକଳ୍ପ ପାଇଁ ବୈଷୟିକ ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ। ।
ସେପ୍ଟେମ୍ବର ୧୬ ତାରିଖରେ, ଯେତେବେଳେ ଭାରତକୁ ପ୍ରଥମ ବ୍ୟାଚ୍ ଚିତା ନାମିବିଆରୁ ବାହାରିଲେ, ସେତେବେଳେ ଜାଲା ହିଁ ପଶୁମାନଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ନେଇ ଯାଇଥିଲେ ଯେଉଁଠାରେ ସେମାନେ ତାଙ୍କ ଅଧୀନରେ ଏକ ଛୋଟ ଏନକ୍ଲୋଜରରେ ସ୍ଥାନିତ ହୋଇଥିଲେ । ତେବେ ସେ ନିକଟରେ ଛୁଟିରେ ଯିବା ପୂର୍ବରୁ ଏକ ସପ୍ତାହ ପାଇଁ କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାଙ୍କ ଉପରେ ନଜର ମଧ୍ୟ ରଖିଥିଲେ। ତେବେ ଟାସ୍କ ଫୋର୍ସରୁ ବାଦ୍ ପଡିବା ନେଇ ଜାଲାଙ୍କ ସହ ଯୋଗାଯୋଗ କରାଯିବା ପରେ ସେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
ସୂଚନା ଅନୁସାରେ, ଦୀର୍ଘବର୍ଷ ଧରି ଭାରତରେ ଚିତା ବଂଶ ଲୋପ ପାଇଯାଇଥିବା ବେଳେ ନିକଟରେ ସେପ୍ଟେମ୍ବର ୧୬ ତାରିଖରେ ଆଫ୍ରିକାର ନାମିବିଆରୁ ପ୍ରୋଜେକ୍ଟ ଚିତା ଅଧୀନରେ ୮ଟି ଚିତା ବାଘ ଭାରତକୁ ଆସିଥିଲେ। ଏହି ଚିତା ଗୁଡ଼ିକୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନ ଅବସରରେ ମଧ୍ୟପ୍ରଦେଶ ର କୁନୋ ଜାତୀୟ ଉଦ୍ୟାନରେ ଛାଡି ଥିଲେ। ସେହି ସମୟରେ ଚିତା ପ୍ରକଳ୍ପରେ ସାମିଲ ଥିବା କିଛି ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପାଖେ ପାଖେ ରହିଥିଲେ ଓ ଫୋଟୋ ମଧ୍ୟ ଉଠାଇଥିଲେ। ହେଲେ ସେ ସମୟରେ ମଧ୍ୟ ଜାଲାଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା। ତେବେ ଦୀର୍ଘ ୧୩ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ପ୍ରକଳ୍ପ ପାଇଁ କାମ କରିଥିବା ଜାଲାଙ୍କୁ ଏଭଳି ଟାସ୍କ ଫୋର୍ସରୁ ବାଦ୍ ଦେବା ସାଧାରଣରେ ପ୍ରଶ୍ନବାଚୀ ଛିଡା କରିଛି।