ଅସୁରକ୍ଷିତ ରାଜଧାନୀ ! ସାମ୍ବାଦିକଙ୍କ ଘରୁ ଚୋରି

ରାଜଧାନୀ ଭୁବନେଶ୍ବର ସହର ଏଠି ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ବିଧାନସଭା, କମିସନରେଟ୍ ପୋଲିସ କାର୍ଯ୍ୟାଳୟ, ସବୁ ମନ୍ତ୍ରୀ ବିଧାୟକ, ସଚିବ ଏପରିକି ସ୍ବୟଂ ମୁଖ୍ୟମନ୍ତ୍ରୀଙ୍କ ରହଣୀ ସ୍ଥଳ ମାତ୍ର ବେଶ୍ କିଛି ଦିନଧରି ସହରରେ ଚାଲିଛି ବେଧଡକ୍ ଚୋରି ଡକାୟତି ଆଉ ଲୁଟ୍। କଥା କଥାକେ କମିସନରେଟ୍ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀ ବାସୀଙ୍କୁ ସୁରକ୍ଷାର କାହାଣୀ ଶୁଣାଉଥିବା ବେଳେ ବାସ୍ତବତା କିନ୍ତୁ କିଛି ଅଲଗା ଏକଥା ସଦ୍ୟ କିଛି ଘଟଣାରୁ ପ୍ରମାଣିତ ହୋଇଛି।

ଭୁବନେଶ୍ୱର ମହାନଗର ଆଧୁନିକ ଚଳନୀ ଆଉ ସୁରକ୍ଷିତ ସହର ଭାବରେ ଯେଉଁ ଭରଷା ବିଶ୍ବାସ ସାଧାରଣ ଜନତାଙ୍କର ଥିଲା ତାହା ତୁଟିଯିବାକୁ ବସିଛି। ସାଧାରଣ ଜନତା ବସ୍ତି ବାସିନ୍ଦାଙ୍କ କଥା କିଏ ପଚାରେ ଏଠାରେ ସ୍ବୟଂ ସରକାରୀ ଅଧିକାରୀ ମାନେବି ସୁରକ୍ଷିତ ନୁହେଁ। ସାଧାରଣତଃ ସହରର ସବୁଠାରୁ ଅଧିକ ସରକାରୀ ଅଧିକାରୀଙ୍କ ବାସଭବନ ଥିବା ଅଞ୍ଚଳରେ କିଛିଦିନ ହେବ ଲୁଟପାଟ୍ ଯୋରଦାର ଚାଲିଛି। ନିକଟରେ ଜନୈକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରେ ଦୁର୍ବୁତମାନେ ବନ୍ଧୁକ ଲଗାଇ ଲୁଟିନେଲେ। ଗତ ରାତିରେ ୟୁନିଟ୍ତି ଅଞ୍ଚଳର ଜନୈକ ସାମ୍ବାଦିକଙ୍କ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ଧଉଳୀ ଥାନା ଅଞ୍ଚଳରେ ବ୍ୟାପକ ଚୋରି ଡକାୟତି ନିୟମିତ ଚାଲିଛି। ସ୍ଥିତି ଏଭଳି ହୋଇଛି ରାସ୍ତା ଯିବା ଲୋକଙ୍କଠାରୁ ମଧ୍ୟ ଛଡାଇ ନେଉଥିବାର ଦେଖିବାକୁ ମିଳୁଛି। ନିକଟରେ ନୟାପଲ୍ଲୀ ଅଞ୍ଚଳର ଜନୈକା ଅବସରପ୍ରାପ୍ତ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟେରା ମାନେ ପିନ୍ଧିଥିବା ସୁନା ଅଳଙ୍କାର ଛଡାଇ ନେବାବେଳେ ଗଭୀର ଆଘାତପ୍ରାପ୍ତ ହୋଇ ଶେଷରେ ମୃତୁବରଣ କରିବାକୁ ପଡିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ସବୁ ଘଟଣା ଘଟି ଚାଲିଥିବା ବେଳେ ପୋଲିସ୍ ହାତ ଖାଲିକରି ବସିଛି। ଚୋରା ଗଞ୍ଜେଇ, ମଦ ଆଉ ବ୍ରାଉନ ସୁଗାର ଚଢଉ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି।

ପ୍ରଶ୍ନଉଠୁଛି ସ୍ମାର୍ଟ ସହରର ଏହି ବିକଳ ଚିତ୍ର ପଛରେ ପ୍ରକୃତ କାରଣ କ’ଣ ହୋଇପାରେ। ଯେଉଁଠି ରାଜ୍ୟ ଶାସନର ସବୁ ବ୍ୟବସ୍ଥାର ମୂଳ ସେଠାରେ ଯଦି ଏତେ ଅସହାୟତା ତାହେଲେ ଉପାନ୍ତ ଜିଲ୍ଲାର ସାଧାରଣ ନାଗରିକଟିର କଥା ପଚାରେ କିଏ ? ସହର ସାରା ସିସି କ୍ୟାମେରା ପୋଲିସ୍ ମାଳମାଳ, ରାତିଦିନ ଏଠାରେ ଆଲୋକିତ ତାହାରି ମଧ୍ୟରେ ଏମାନେ ଏତେ ସୁଯୋଗ ପାଉଛନ୍ତି କିପରି ତାହା ହେଉଛି ସବୁଠାରୁ ବଡପ୍ରଶ୍ନ। ଏହି ଲୁଟେରା ମାନଙ୍କ ଟାର୍ଗେଟରେ ଏବେ ସରକାରୀ କ୍ବାଟର ଏପରିକି ଘରେ ନଥିବା ବେଳେ କେହି ଏମାନଙ୍କୁ ଲୁଟପାଟ୍ କରିବାକୁ ସୁବିଧା ହେଉଛି। ସାଧାରଣରେ ଚର୍ଚ୍ଚା ହେଉଛି ଏଠି କଥା ବେଶୀ ଆଉ କାମ କମ୍ ପରି ଲାଗୁଛି। ଏକଥା ମଧ୍ୟ ଶୁଣିବାକୁ ମିଳୁଛି କରୋନା କଟକଣାରେ କାମଧନ୍ଦା ହରାଇ ହତୋତ୍ସାହିତ କିଛି ଯୁବବର୍ଗ ଏଭଳି କାଣ୍ଡ ଭିଆଉ ଥାଇପାରନ୍ତି। ଖୁବ୍ ଶିଘ୍ର ବିଏମସି, ପୋଲିସ୍ କମିସନରେଟ୍ ଏବଂ ଗୃହ ବିଭାଗ ସହରବାସୀଙ୍କ ମନରେ ଭରଷା ସୃଷ୍ଟିକରିବା ଦରକାର ଯେପରି ଆଗକୁ ଏ ଲୁଟପାଟ୍ ବନ୍ଦହୁଏ।

Related Posts