ସରକାରୀ କର୍ମଚାରୀର ପରିଚୟ ଦେଇ ଚୋରି: ବିହାରରେ ୪୫ ବର୍ଷର ପୁରାତନ ଲୁହା ପୋଲକୁ ଚୋରାଇ ନେଲେ ଦୁର୍ବୃତ୍ତ

ବିହାର:ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ଆରା-ସୋନେ କେନାଲ୍‌ ଉପରେ ଲମ୍ବର ଲୁହା ଫ୍ରେମ୍‌ରେ ନିର୍ମିତ ୬୦ ଫୁଟ୍‌ ଦୀର୍ଘତାବିଶିଷ୍ଟ ୪୫ ବର୍ଷର ପୁରାତନ ପୋଲ ଚୋରି | ଦୁର୍ବୁତ୍ତ ମାନେ ନିଜକୁ ସରକାରୀ କର୍ମଚାରୀର ପରିଚୟ ଦେଇ ଚତୁରତାର ସହ ପୋଲକୁ ଚୋରି କରିଛନ୍ତି | ପୋଲଟିକୁ ଖଣ୍ଡ ଖଣ୍ଡ କରି ପିଂପୁଡି ଖାଦ୍ୟ ସଂଗ୍ରହ କରିବା ପରି ଚୋରା ମାନେ ମଧ୍ୟ ଠିକ ସେହିପରି ଚୋରି କରିଥିଲେ | ସ୍ଥାନୀୟ ଲୋକଙ୍କ ସରଳତାରେ ସୁଯୋଗ ନେଇ ଚୋରି କରିଥିଲେ |

ସାସାରାମ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଅମିୟୱାର୍‌ ଗାଁରେ ମଙ୍ଗଳବାର ଦିନ ହୋଇଥିବା ପୋଲ ଚୋରୀ ସେ ଅଞ୍ଚଳରେ ଆଲୋଚ୍ୟ ବିଷୟ ପାଲଟିଛି। ସ୍ଥାନୀୟ ‌ଲୋକମାନଙ୍କ କହିବା ଅନୁସାରେ, ୫ ବର୍ଷ ପୂର୍ବେ କେନାଲ ଉପରେ ଆଉ ଗୋଟାଏ କଙ୍କ୍ରିଟ୍‌ ପୋଲ ନିର୍ମାଣ ହେବା ପରଠାରୁ ଚୋରମାନେ ରୋଷେଇଘରର ଅସରପାଙ୍କ ଭଳି ୫୦୦ ଟନ୍‌ ଓଜନବିଶିଷ୍ଟ ସେ ଲୁହା ‌ପୋଲରୁ ଟିକିଏ ଲେଖାଏଁ ଲୁହା କାଟି ନେଉଥିଲେ। କିନ୍ତୁ, ରାତିକ ଭିତରେ ଯେ, ପୋଲଟି ସମ୍ପୂର୍ଣ୍ଣ ଉଭେଇ ଯିବ, ଏକଥା କେହି କଳ୍ପନା କରି ନ ଥିଲେ।

ପୁଲିସ ଅଧିକାରୀ ସୁଭାଷ କୁମାରଙ୍କ କହିବା ଅନୁସାରେ, ପୋଲଟିକୁ ଖଣ୍ଡ ଖଣ୍ଡ କରିବା ପାଇଁ ଚୋରମାନେ ବୁଲ୍‌ଡୋଜର୍‌ ଏବଂ ଗ୍ୟାସ୍‌-ଟର୍ଚ ନେଇ ଆସିଥିଲେ। କଟାକଟି ସାରିବା ସାରିବା ପରେ ପୋଲଟିକୁ ସମୁଦାୟ ନେଇ ଖସି ଯାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ପୋଲ ଭାଙ୍ଗିବା ଭଳି କଠିନ କାମ ଆରମ୍ଭ କରିବା ପୂର୍ବରୁ ଚୋରମାନେ ଜଳସେଚନ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ବାସିନ୍ଦାମାନେ ମଧ୍ୟ ଚୋରଙ୍କ କଥାରେ ଭଳି ଯାଇ ସର୍ବ ସମ୍ମୁଖରେ ହେଉଥିବା ଚୋରିରେ ସହାୟତା କରିଥିଲେ। ପୋଲଟିକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ୩ ଦିନ ଲାଗିଥିଲା। ପରେ ପୋଲ ଖଣ୍ଡ ଖଣ୍ଡ ହେବା ପରେ ଗୋଟିଏ ପରେ ଗୋଟିଏ ବୋହି ନେଇ ପଳାଇଲେ |

Related Posts