ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମ ଅଦାମି ପାର୍ଟି ନିଜ ଦଳକୁ ଜାତୀୟ ଦଳ କରିବା ଯୋଜନାରେ ଥିବାବେଳେ ହିମାଚଳ ପ୍ରଦେଶରେ ଦଳକୁ ବଡ଼ ଝଟକା ମିଳିଛି । ତେବେ ରାଜ୍ୟ ୟୁନିଟ ମୁଖ୍ୟ ଅନୁପ କେସରୀ ଓ ଦଳର ଅନ୍ୟ ଦୁଇ କର୍ମୀଙ୍କ ସହ ଆପ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରାଜଧାନୀ ଦିଲ୍ଲୀ ସ୍ଥିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଅନୁପ କେଶରୀଙ୍କ ସମେତ ସଙ୍ଗଠନର ମହାସଚିବ ସତୀଶ ଠାକୁର ଏବଂ ଜିଲ୍ଲା ପ୍ରମୁଖ ଇକବାଲ ସିଂଙ୍କୁ ବିଜେପିର ସଦସ୍ୟତା ଗ୍ରହଣ କରାଇଥିଲେ । ହେଲେ ସବୁଠାରୁ ରୋଚକ କଥାଟି ହେଉଛି ବିଜେପିରେ ମିଶିବା ପରେ ହିଁ ସେମାନେ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେ କରିଥିବାର ଦେଖିବାକୁ ମିଳିଛି ।
କେଜ୍ରିୱାଲଙ୍କୁ ବୁଧବାର ଦିନ ମାଣ୍ଡିରେ ଏକ ରୋଡ୍ ସୋ ସମୟରେ ପାର୍ଟି କର୍ମୀଙ୍କୁ ଅପମାନିତ କରିଥିବାର ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଆପ ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଶ୍ରୀ କେସାରୀ ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ଏବଂ ତାଙ୍କୁ ଯେକୌଣସି ପ୍ରକାରରେ ଦଳରୁ ବହିଷ୍କାର କରାଯାଉ ବୋଲି ଦଳ ପକ୍ଷରୁ ଅଭିଯୋଗ ଆସିଥିଲା ବୋଲି ମନୀଷ ସିସୋଦିଆ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।