କଂଗ୍ରେସ ଭବନରୁ ଆସବାବପତ୍ର ଚୋରି, କ୍ୟାପିଟାଲ ଥାନାରେ ରୁଜୁ ହେଲା ମାମଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା କଂଗ୍ରେସ ଭବନ ଏବେ ଅସୁରକ୍ଷିତ । ପୂର୍ବରୁ କଂଗ୍ରେସ ଭବନ ଉପରକୁ ଏକାଧିକ ଥର ବୋମାମାଡ଼ ଓ ଆକ୍ରମଣର ନଜିର ରହିଛି। ସବୁଥର ଅଘଟଣ ଘଟିବା ପରେ ପୁଲିସ କଂଗ୍ରେସ ଭବନରେ ପହଞ୍ଚୁଥିଲା । ହେଲେ ଏବେ ଭବନ ପରିସରରେ ଦୁର୍ବୃତ୍ତ ପଶି ଅସବାବପତ୍ର ଚୋରି କରିନେବାଭଳି ଖବର ଆସିଛି । ଏନେଇ କଂଗ୍ରେସ ଭବନ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଓଡି଼ଶା ପ୍ରଦେଶ କଂଗ୍ରେସ କମିଟି ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, କଂଗ୍ରେସ ଭବନରେ ୮ଟି ଏସି ସଂଯୋଗ କରାଯାଇଛି । ଏସବୁ ଏସିକୁ ସଂଯୁକ୍ତ କରୁଥିବା କପର ତାରଗୁଡ଼ିକ ବିଲ୍ଡିଂ ପଛପଟ କାନ୍ଥରେ ଲଗାଯାଇଛି । କିଛି ଦୁର୍ବୃତ୍ତ କାନ୍ଥରେ ଲଗାଯାଇଥିବା ଏହି କପର ତାରକୁ ଚୋରି କରି ନେଇଛନ୍ତି । ସେହିପରି କଂଗ୍ରେସ ଭାବନା ପରିସରରେ ଥିବା କିଛି ଚେୟାର ଓ ଅନ୍ୟ ଆସବାବପତ୍ର ସହିତ ଏସି ଷ୍ଟାବ୍ଲାଇଜର ମଧ୍ୟ ଚୋରି ହୋଇଯାଇଛି । ଖୁବ୍‌ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରିବାକୁ ଶ୍ରୀ ସ୍ୱାଇଁ ପୁଲିସକୁ କହିଛନ୍ତି । ସେହିପରି କଂଗ୍ରେସ ଭବନରେ ଚାରିପାଖେ ରାତିବେଳା ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ନିବେଦନ କରାଯାଇଛି ।

Related Posts