ଓଡ଼ିଶାରେ ଆଉ ବିରୋଧୀ ନାହାନ୍ତି, ବିଜେଡି ଓ ବିଜେପି ଗୋଟିଏ ମେଣ୍ଟରେ ଅଛନ୍ତି : ଓଡ଼ିଶା ଆପ ଆବାହକ ନିଶିକାନ୍ତ ମହାପାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏନଡ଼ିଏରେ ସାମିଲ ହେବାକୁ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ନିମନ୍ତ୍ରଣ ଦେବା ଘଟଣାକୁ ନେଇ ତେଜିଛି ରାଜନୀତି । ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି ଆମ୍ ଆଦମୀ ପାର୍ଟି । ଦଳର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ବିଜେଡି-ବିଜେପିକୁ ଟାର୍ଗେଟ କରିବା ସହ କହିଛନ୍ତି, ଓଡ଼ିଶାରେ ଆଉ ବିରୋଧୀ ନାହାନ୍ତି । ନବୀନ ବାବୁ ଏବଂ ବିଜେପି ଗୋଟିଏ ମେଣ୍ଟରେ ଅଛନ୍ତି । ବିହାରରେ ନୀତିଶ କୁମାର ଏନଡିଏର ହାତ ଛାଡିବା ପରେ ଏବେ ଏନଡିଏରେ ନବୀନଙ୍କର ଆବଶ୍ୟକତା ବଢିଯାଇଛି । ବିଜେପି ଇଡି, ସିବିଆଇର ଭୟ ବିଜେଡି ଉପରେ ପ୍ରୟୋଗ କରିଛନ୍ତି, ତେଣୁ ନବୀନ ଏବେ ବିଜେପି ପାଖରେ ଶରଣ ପଶିଛନ୍ତି । ଓଡ଼ିଶାରେ ସମଦୂରତା ନୁହେଁ ସମର୍ପଣର ରାଜନୀତି ଚାଲିଛି ବୋଲି କହିଛନ୍ତି ନିଶିକାନ୍ତ ।

ଏହାସହ ନିଶିକାନ୍ତ କହିଛନ୍ତି, ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମିଳିତ ସରକାର ଚାଲିଛି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଖୋଲାଖୋଲି ଏନଡିଏରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି । ଏପରିକି ୨୦୨୪ରେ ମେଣ୍ଟ ଗଠନ ପାଇଁ ଆଗୁଆ ସଂକେତ ଦେଇଛନ୍ତି । ତେବେ ଏଭଳି ନିମମନ୍ତ୍ରଣ କରି କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଏନଡିଏର ନେତା । ଉଭୟ ଦଳ ସ୍ପଷ୍ଟ କରିବା ଦରକାର ଯେ, ଓଡ଼ିଶାବାସୀଙ୍କୁ କାହିଁକି ଏମାନେ ଧୋକାରେ ରଖୁଛନ୍ତି? କାହିଁକି ନିଜର ଚୋରା ପୀରତିକୁ ଲୋକଲୋଚନକୁ ଆଣୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିଶିକାନ୍ତ ।

ସୂଚନାଯୋଗ୍ୟ ଯେ, ଗତକାଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଓଡ଼ିଶା ଗସ୍ତରେ ଆସି ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଏନଡିଏରେ ନବୀନ ସାମିଲ ହୁଅନ୍ତୁ ବୋଲି କହିଥିଲେ ଅଠାୱାଲେ । ଏପରିକି ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ବିଲ୍ ପାରିତ ସମୟରେ ଏନଡିଏରେ ନଥାଇ ସୁଦ୍ଧା ନବୀନ ସମର୍ଥନ ଦେଇ ଆସୁଥିବା କହିଥିଲେ ଅଠାୱାଲେ । ତେଣୁ ଆଗକୁ ଏନଡିଏକୁ ଆସିଲେ ଭଲ ଫାଇଦାରେ ରହିବା ସହ ଓଡ଼ିଶାକୁ ଅଧିକ ଅନୁଦାନ ମିଳିବ ବୋଲି କହିଥିଲେ ଅଠାୱାଲେ । ଯାହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି ।

Related Posts