ଭାରତ-ପାକ ସମ୍ପର୍କ ସୁଧୁରିବା ନେଇ କୌଣସି ସମ୍ଭାବନା ନାହିଁ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୀଷଣ ବନ୍ୟା ଯୋଗୁ ପାକିସ୍ତାନର ସ୍ଥିତି ଏବେ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଦେଶ ଆର୍ଥିକ ଭାବେ ମଧ୍ୟ ଦୁର୍ବଳ ହୋଇପଡିଛି। କିନ୍ତୁ ପାକିସ୍ତାନର ନେତାମାନେ ନିଜ ଦେଶର ସ୍ଥିତି ପରଖିବା ପରିବର୍ତ୍ତେ କଶ୍ମୀରକୁ ସବୁଠାରୁ ବଡ ପ୍ରସଙ୍ଗ ଭାବରେ ଦେଖୁଛନ୍ତି। ବର୍ତ୍ତମାନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ନ୍ୟୁୟର୍କ ଗସ୍ତ ଅବସରରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ନ୍ୟୁୟର୍କରେ ବୈଦେଶିକ ସମ୍ପର୍କ ପରିଷଦର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଭୁଟ୍ଟୋ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହି ଅଧିବେଶନରେ ତାଙ୍କୁ ପଚରାଯାଇଥିଲା ଯେ ପାକିସ୍ତାନରେ ବନ୍ୟା ପରିସ୍ଥିତି ମଧ୍ୟରେ ଭାରତ ସହ ସମ୍ପର୍କ ସୁଦୃଢ ହେବାର ସମ୍ଭାବନା କ’ଣ ରହିଛି? ଏହି ପ୍ରଶ୍ନର ଉତ୍ତରରେ ଭୁଟ୍ଟୋ କହିଛନ୍ତି ଯେ, ଭୀଷଣ ବନ୍ୟା ପରିସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନର ବନ୍ୟା ପୀଡିତଙ୍କୁ ଭାରତ କୌଣସି ସାହାଯ୍ୟ ଦେଇନାହିଁ। ଭାରତ-ପାକ ସମ୍ପର୍କରେ ବର୍ତ୍ତମାନ କୌଣସି ସୁଧାର ଆସିବାର ଲକ୍ଷଣ ଦେଖୁନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆମେ ଭାରତ ସହିତ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଛୁ ଏବଂ ଆମେ ଭାରତ ସହ ଆଲୋଚନା ପାଇଁ ନିରନ୍ତର ପ୍ରୋତ୍ସାହିତ କରିଛୁ, କିନ୍ତୁ ଭାରତ ଏବେ ପରିବର୍ତ୍ତନ ହୋଇଯାଇଛି। ମିଳିତ ଜାତିସଂଘର ସାଧାରଣ ସଭା ଅଧିବେଶନରେ ଯୋଗଦେବା ପାଇଁ ଜର୍ଦ୍ଦାରୀ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଭାରତ ସରକାର କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ରଦ୍ଦ କରିଛନ୍ତି। ଏହା ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ।

Related Posts