ଛଟପଟ ସାରା ଓଡ଼ିଶା: ଆସନ୍ତା 5 ଦିନ ଯାଏଁ ତାତିରୁ ମିଳିବନି ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମରେ ଛଟପଟ ସାରା ଓଡ଼ିଶା । ଦିନ 9ଟା ପରେ ପଦାକୁ ବାହାରିବା ଯେପରି କଷ୍ଟକର ହୋଇପଡୁଛି । ଶୂନ୍ୟରୁ ତତଲା ପ୍ରହାର ବାଜିଲା ଭଳି ଅନୁଭୂତ ହେଉଛି । ସୋମବାର ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁଛି ।

ପାଣିପାଗ ବିଭାଗର ଆକଳନ ଯାହା, କେତେକ ସ୍ଥାନରେ ହେବଏବେ କାଳବୈଶାଖୀ । କିନ୍ତୁ, ଆସନ୍ତା ୪-୫ ଦିନ ଧରି ତାତି କମିବାର ସମ୍ଭାବନା ନାହିଁ । ଅର୍ଥାତ୍‌ ଗ୍ରୀଷ୍ମ ଜ୍ୱାଳାରେ ଏମିତି ସନ୍ତୁଳି ହେବେ ରାଜ୍ୟବାସୀ । ଭୀଷଣ ଗରମ ଯୋଗୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଏଭଳି ଅସ୍ୱସ୍ତିକର ପାଣିପାଗ ଭିତରେ ସାମାନ୍ୟ ଆଶ୍ୱସ୍ତିଭରା ପୂର୍ବାନୁମାନ ଦେଖାଇଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ । ତାଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇଦିନ ତାତିରୁ ଟିକିଏ ବି ତ୍ରାହି ମିଳିବନି । ହେଲେ ୨୧ରୁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବ । ୨୧ ଅପରାହ୍ନ କିମ୍ବା ରାତିରେ କାଳବୈଶାଖୀ ବର୍ଷା ହେବ । ୨୨ରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଛି । ୨୧ରେ ଉପକୂଳ ଓଡ଼ିଶାରେ ତାତି କମିବ । ୨୨ରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାରଦ ଖସିବା ସମ୍ଭାବନା ରହିଛି । ଏମିତିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ ତଳକୁ ଖସିପାରେ । ହେଲେ ଆଶ୍ୱସ୍ତି ସାମୟିକ ହେବ ।

୨୪ରୁ ପୁଣି ରାଜ୍ୟରେ ତାତି ବଢ଼ିବ । ଆସନ୍ତା ଦୁଇଦିନ ଉପକୂଳ ଓଡ଼ିଶା ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ହିଁ ରହିବା ସମ୍ଭାବନା ଅଛି । ବର୍ତ୍ତମାନ କିଛି ମାସ ହେବ ବର୍ଷା ନଥିବାରୁ ମାଟି ଶୁଖିଲା ପଡ଼ିଛି । ସାମୁଦ୍ରିକ ପବନ ପ୍ରବାହ ଦୁର୍ବଳ ରହୁଥିବାବେଳେ ଆକାଶ ମେଘମୁକ୍ତ ରହୁଛି । ଏଥିଯୋଗୁ ତାତି ଅଧିକ ଅନୁଭୂତ ହେଉଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ବର୍ତ୍ତମାନ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ଓ ଭୁବନେଶ୍ୱରରେ ପାରଦ ୪୦ ଡେଇଁଛି । ଆଜି ଦିନ ଭିତରେ ଝାରସୁଗୁଡ଼ା ଓ ସୋନପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ହୋଇପାରେ ।

Related Posts