ସମସ୍ତଙ୍କ ଦୁଃଖ ନିବାରଣ କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆଉ ରହିବନି କାଠର ଅଭାବ, ଲାଗିଲା ୮୦ ହଜାର ଫାଶୀ ଚାରା

ସୁବର୍ଣ୍ଣପୁର: ସମସ୍ତଙ୍କ ଦୁଃଖ ଆଉ ସୁଖର ସାଥି ଜଗା ପାଇଁ ଆଉ ରହିବନି କାଠର ଅଭାବ । ଗୋଟିଏ ପଟେ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଦୁଲୁକୁଥିବା ବେଳେ, ତାହାରି ଭିତରେ ଚାଲିଛି ଚାରା ରୋପଣ। ଆନନ୍ଦ ଉଲ୍ଲାସ ସହ ବୌଦ୍ଧ ବନ ବିଭାଗ ଜିଲ୍ଲାର ତିନୋଟି ବ୍ଲକ୍‌ ତଥା କଣ୍ଟାମାଲ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ପାଞ୍ଚଟି ରେଞ୍ଜରେ ଗୋଟିଏ ଦିନରେ ୮୦ ହଜାର ଫାଶୀ ଚାରା ରୋପଣ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଯେମିତି କାଠର ଅଭାବ ରହିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୮୦ ହାଜର ଫାଶୀ ଚାରା ରୋପଣ କରିଛି ବୌଦ୍ଧ ବନବିଭାଗ।

ଚାରା ରୋପଣ କାର୍ଯ୍ୟରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବନ ସୁରକ୍ଷା ସମିତି ସଦସ୍ୟମାନେ ସାମିଲ ହୋଇଥିଲେ। ଶୁକ୍ରବାର ମହାପ୍ରଭୁଙ୍କ ଘୋଷଯାତ୍ରା ଅବସରରେ କଣ୍ଟାମାଳ ରେଞ୍ଜ ସାନମନମୁଣ୍ଡା ଖେଳପଡ଼ିଆ ନିକଟରେ ୮ ହଜାର ଫାଶୀ ବୃକ୍ଷ ରୋପଣର ଶୁଭାରମ୍ଭ ହୋଇଥିଲା। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, କଂଟାମାଲ ରେଞ୍ଜର, ମନମୁଣ୍ଡା ରେଞ୍ଜର ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ପରେ ଅନ୍ୟାନ୍ୟ ସ୍ଥାନରେ ଚାରା ରୋପଣ କରାଯାଇଥିଲା। ଆଧ୍ୟାତ୍ମିକ ପରିବେଶରେ ବୃକ୍ଷ ରୋପଣ କରି ବେଶ ଖୁସି ହୋଇଛନ୍ତି ସ୍ଥାନୀୟ ଗ୍ରାମବାସୀ। କାହିଁକିନା ନିଜ ଗାଁର କାଠ ମହାପ୍ରଭୁଙ୍କ ରଥ ନିର୍ମାଣରେ ସାମିଲ ହେବ।

ବିଗତ ୪ ବର୍ଷ ଧରି ବୌଦ୍ଧ ବନ ବିଭାଗ ପୁରୀ ରଥଯାତ୍ରା ପାଇଁ ରଥକାଠ ଯୋଗାଇ ଆସୁଛି। ନୟାଗଡ଼ ପରେ ଏବେ ବୌଦ୍ଧ ବନ ବିଭାଗ ଏହି କାଠ ଯୋଗାଇ ଆସୁଛି। ତେବେ ଆଗାମୀ ଦିନରେ ରଥକାଠ ଅଭାବ ଦୂର କରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ୮୦ ହଜାର ଫାଶୀ ଗଛ ରୋପଣ କରୁଥିବା ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ କହିଛନ୍ତି।

Related Posts