ପୁରୀ : ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ମନ୍ଦିର ତଥା ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଛି ପାଟେଣ୍ଟ । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍‌ ବା ଏସ୍‌ଜେଟିଏ ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ଅନୁମୋଦନ। ଖୁବ୍‌ଶୀଘ୍ର ଆଉ ୨୬ଟି ନାମକୁ ନେଇ ରହିଥିବା ଆବେଦନପତ୍ରକୁ ମିଳିବ ଅନୁମୋଦନ। ଏନେଇ ଅଧିକ ତଥ୍ୟ ମାଗିଛି ଆଇପି ଇଣ୍ଡିଆ ବା ଇଣ୍ଡିଆନ୍‌ ପାଟେଣ୍ଟ ଅଫିସ୍‌ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଅରବିନ୍ଦ ପାଢ଼ୀ ।  ଏହା ଶ୍ରୀମନ୍ଦିର ଐତିହ୍ୟ, ସଂସ୍କୃତି  ସୁରକ୍ଷାରେ ବିଶେଷ  ସହାୟକ ହେବ ବୋଲି ସେ  ଆଶା ପ୍ରକାଶ କରିଛନ୍ତି। ପାଟେଣ୍ଟ ନିୟମ ଅନୁଯାୟୀ କୌଣସି  ଜିନିଷ, ଦ୍ରବ୍ୟ କିମ୍ବା ଶବ୍ଦ ଅଥବା  ଲୋଗୋକୁ ଅନୁମୋଦନ ମିଳିଲେ ତାହା ମୂଳ ସ୍ଥାନଠାରୁ ଅନ୍ୟତ୍ର ବ୍ୟବହାର,  ବିକ୍ରି, ପ୍ରସ୍ତୁତି କିମ୍ବା ଆମଦାନୀ ଉପରେ  ରୋକ ଲାଗିଥାଏ । ‘ଜଗନ୍ନାଥ ଧାମ’  ନାମ  ପାଇଁ ମଧ୍ୟ ପାଟେଣ୍ଟ ଆବେଦନ  କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାବାଦ୍‌  ଶ୍ରୀମନ୍ଦିରରେ ବ୍ୟବହୃତ ଆହୁରି ୨୬ଟି  ସ୍ୱତନ୍ତ୍ର ଶବ୍ଦ ବା ନାମକୁ ପାଟେଣ୍ଟ ଅନ୍ତର୍ଭୁକ୍ତ  କରିବା ନିମନ୍ତେ ଆବେଦନ ହୋଇଛି । ପଶ୍ଚିମବଙ୍ଗର ଦୀଘାରେ ମମତା  ସରକାର ଜଗନ୍ନାଥ ଧାମ ଶବ୍ଦ ବ୍ୟବହାର  କରିବା ଭଳି ମହାପ୍ରସାଦ, ନିର୍ମାଲ୍ୟ,  ଆନନ୍ଦବଜାର, ରତ୍ନ ବେଦୀ, ଶ୍ରୀଗୁଣ୍ଡିଚା  ମନ୍ଦିର, ବଡ଼ଦେଉଳ, ଶଙ୍ଖକ୍ଷେତ୍ର,  ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଭଳି ଅନେକ  ନାମରେ ଅପବ୍ୟବହାର ହେଉଛି। ଶ୍ରୀମନ୍ଦିର ପ୍ରଶାସନ ଲୋଗୋର  ଦୁରୁପଯୋଗ କରି ଜାଲ ୱେବସାଇଟ୍‌  କରାଯାଉଛି। ମୂଳପୀଠର ନାମ ଓ ପରମ୍ପରା ନାମରେ  ବ୍ୟବସାୟୀକରଣ କରାଯାଉଛି। ଏହି  ଶବ୍ଦ ଓ ପରମ୍ପରାର ଦୁରୁପଯୋଗ  ରୋକିବାକୁ ପ୍ରଶାସନିକ ତତ୍ପରତା  ପ୍ରକାଶ ପାଇଛି। ଆଇପି ଇଣ୍ଡିଆ  ଶ୍ରୀମନ୍ଦିର ପ୍ରଶାସନ ଆବେଦନକୁ  ଅନୁମୋଦନ କଲେ ଏହାକୁ ବାହାର  ଦେଶରେ କିପରି ଲାଗୁ କରାଯିବ ତାହା  ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁଠି  ବିଦେଶରେ ଅ-ତିଥିରେ ସ୍ନାନଯାତ୍ରା  ଓ ରଥଯାତ୍ରା ରୋକିବାରେ ପ୍ରଶାସନ  ବିଫଳ ହେଉଛି, ସେଠାରେ ପାଟେଣ୍ଟ  ଶବ୍ଦର ଅପବ୍ୟବହାର ରୋକିବା ନିଶ୍ଚିତ  ଆଉ ଏକ ଆହ୍ୱାନ ହେବ। କାରଣ ଏଥିନିମନ୍ତେ ୱାଲ୍ଡ ୱାଇଡ୍‌ ପାଟେଣ୍ଟର  ଆବଶ୍ୟକତା ପଡ଼ିବ। ସୂଚନା ମୁତାବକ ଆଇପି ଇଣ୍ଡିଆର ଅନୁମୋଦନ ପରେ  ପ୍ରଶାସନ ଚାହିଁଲେ ୱାଲ୍ଡ ୱାଇଡ୍‌ ପାଟେଣ୍ଟ  ନିମନ୍ତେ ପଦକ୍ଷେପ ନେଇପାରିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସିଦ୍ଧେଶ୍ୱର ମହାପାତ୍ର କହିଛନ୍ତି, ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ପୁରୀ  ଓ ଶ୍ରୀମନ୍ଦିରରେ ବ୍ୟବହୃତ ଅନେକ  ଶବ୍ଦକୁ ନେଇ ସେ ‘ପୁରୀ ବୋଲି’  ନାମକ ଏକ ପୁସ୍ତକ ରଚନା କରିଛନ୍ତି। ଏଥିରେ ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର, ଗୁଆଳି,  ରହୁବର, ବଡ଼ଦେଉଳ ପ୍ରଭୃତି ବହୁ  ସ୍ୱତନ୍ତ୍ର ଶବ୍ଦକୁ ନେଇ ଏକ ଶବ୍ଦକୋଷ  କରାଯାଇଛି।