ତୃତୀୟ ଟି-୨୦ ଫାଇଟ: ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା : ବିଜୟ ହାସଲ କଲା ଇଣ୍ଡିଆ । ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ମିଳିଛି ବିଜୟ । ସ୍ଥାନୀୟ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର (ଆଜି) ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟିମ୍‌ ଇଣ୍ଡିଆ ବିଜୟ ଲାଭ କରିଛି। ଏହି ‘କର ବା ମର’ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ତେବେ ଦୁଇ ଓପ୍‌ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ଇନିଂସ ଯୋଗୁ ଦଳ ୧୮୦ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଟିମ୍‌ ୧୯.୧ ଓଭରରେ ୧୩୧ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଫଳରେ ମ୍ୟାଚ୍‌କୁ ୪୮ ରନ୍‌ରେ ଜିତିନେଇଛି ଭାରତୀୟ ଟିମ୍‌। ଏଥିଯୋଗୁ ସିରିଜ୍‌ ଏବେ ୨-୧ ସ୍ଥିତିରେ ରହିଛି।

ପ୍ରକାଶ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ପୂର୍ବ ଦୁଇ ଟି୨୦ରେ ଟିମ୍‌ ଇଣ୍ଡିଆକୁ ପରାଜିତ ହେବାକୁ ପଡ଼ିଥିଲା। ଏଣୁ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍‌ ‘କର ବା ମର’ ମ୍ୟାଚ୍‌ ଭାରତ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଭାରତୀୟ ଟିମ୍‌ରୁ ଋତୁରାଜ ଗାଏକଓ୍ବାଡ ଏବଂ ଈଶାନ କିଶନ ଯଥାକ୍ରମେ ୫୭ ଏବଂ ୫୪ ରନ୍‌ କରିଥିଲେ। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୧ ରନ୍‌ କରିଥିଲେ। ପରେ ବୋଲର୍‌ ମାନଙ୍କ ପ୍ରଭାବି ବୋଲିଂ ଯୋଗୁ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାର ସମସ୍ତ ଉଇକେଟ ନେବାରେ ସଫଳ ହୋଇଥିଲା।

ଶେଷରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିପାରିଥିଲା ।

Related Posts