ଟି୨୦ ବିଶ୍ୱକପ୍: ଭାରତୀୟ ଦଳ ଘୋଷଣା, ୧୫ ସଦସ୍ୟ ବିଶିଷ୍ଟ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା

ନୂଆଦିଲ୍ଲୀ : ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।ଅଷ୍ଟ୍ରେଲିଆରେ ଖେଳାଯିବ ମ୍ୟାଚ୍ । ତେବେ ୧୫ ସଦସ୍ୟ ବିଶିଷ୍ଟ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା । ସବୁଠାରୁ ବଡ କଥା ଯେ, ଜସପ୍ରିତ ବୁମରାହ ଓ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି । ତାଙ୍କ ବ୍ୟତୀତ ଆର ଅଶ୍ୱିନ ଓ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।

ଭାରତ ଟି୨୦ ବିଶ୍ୱକପ ଜିତିବାକୁ ଜୋରଦାର ପ୍ରୟାସ କରିବ । ୧୫ ସଦସ୍ୟ ବିଶିଷ୍ଟ ଟିମର ସବୁ ଖେଳାଳି ନିଜ ଦମରେ ମ୍ୟାଚ୍ ଜିତାଇବାକୁ ଦମ୍ ରଖିଥାନ୍ତି । ତେବେ ଦଳ କେଉଁ ୧୧ଜଣଙ୍କୁ ପଡିଆକୁ ଓହ୍ଲାଇବ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ । ଏହାସହ ବ୍ୟାଟିଂ କ୍ରମକୁ ନେଇ ମଧ୍ୟ ଚିନ୍ତାରେ ମ୍ୟାନେଜମେଣ୍ଟ୍ ।

ରୋହିତ-କୋହଲି କରିପାରନ୍ତି ଓପନିଂ

ଏସିଆ କପ ୨୦୨୨ରେ କେଏଲ ରାହୁଲ ଓପନିଂରେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିଥିଲା । ରାହୁଲଙ୍କ ସହ ବିରାଟ କୋହଲି ଓପନିଂ ପାଇଁ ଓହ୍ଲାଇଥିଲେ । ସେ ଦମଦାର୍ ବ୍ୟାଟିଂ କରି ୧୨୨ ରନ୍ କରିଥିଲେ । ତେଣୁ ବିଶ୍ୱକପରେ ରୋହିତଙ୍କ ସହ ବିରାଟ ଓପନିଂ କରିପାରନ୍ତି । ଏହାପରେ ତିନି ନମ୍ବରରେ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଓହ୍ଲାଇପାରନ୍ତି ।

ଏପରି ହୋଇପାରେ ମିଡିଲ ଅର୍ଡର

ମିଡିଲ ଅର୍ଡରରେ ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । କେଏଲ ରାହୁଲ ୫ ନମ୍ବରରେ ଆସିପାରନ୍ତି । ସେହିପରି ୬ ନମ୍ବରରେ ଦିନେଶ କାର୍ତ୍ତିକ ପଡିଆକୁ ଓହ୍ଲାଇପାରନ୍ତି । ସେ ଫିନିଶରର ରୋଲ୍ ପ୍ଲେ କରିବେ ।

ନିମ୍ନକ୍ରମରେ ଅକ୍ଷର ପଟେଲ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି । ଏହାପରେ ଭୁବନେଶ୍ୱର କୁମାର, ଜସପ୍ରିତ ବୁମରାହ ଓ ୟୁଜବେନ୍ଦ୍ର ଚହଲ ପଡିଆକୁ ଓହ୍ଲାଇପାରନ୍ତି ।

Related Posts