ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ପଵନ ଖେଡ଼ାଙ୍କୁ ସୁପ୍ରିମକୋର୍ଟରୁ ବେଲ ମିଳିବା ପରେ ସାରା ଦେଶର ରାଜନୀତିକ ମାହଲ ବେଶ୍ ସରଗରମ ହୋଇଉଠିଛି । ଏହା ମଧ୍ୟରେ ଆଗୁଆ ଜାମିନ ପାଇବା ପରେ କଂଗ୍ରେସ ନେତା ପବନ ଖେଡ଼ା ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ସେ କହିଛନ୍ତି ଯେ, ଏହା କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ କ୍ଷମତାର ଅପବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ଚେତାବନୀ। ଯେପର୍ଯ୍ୟନ୍ତ ଆମେ ଏକ ସାମ୍ବିଧାନିକ ଗଣତନ୍ତ୍ରରେ ରହିଛୁ, ସେପର୍ଯ୍ୟନ୍ତ ରାଜନୈତିକ ପ୍ରତିଶୋଧ ପାଇଁ ବ୍ୟକ୍ତିଗତ ସ୍ୱାଧୀନତାକୁ ବଳି ଦିଆଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଗୁଆ ଜାମିନ ପାଇବା ପରେ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଏବଂ ଏହାକୁ ଆଇନର ଶାସନର ବିଜୟ ବୋଲି କହିଛନ୍ତି।

ସେପଟେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇ ସେ ଲେଖିଛନ୍ତି ଯେ, ଏହି ରାୟ ତାଙ୍କ ପାଇଁ କେବଳ ଏକ ଆଇନଗତ ଆଶ୍ୱସ୍ତି ନୁହେଁ, ବରଂ ବ୍ୟକ୍ତିଗତ ସ୍ୱାଧୀନତା ତଥା ସାମ୍ବିଧାନିକ ଶକ୍ତିର ଏକ ପ୍ରତୀକ। ସୋସିଆଲ ମିଡିଆ ପୋଷ୍ଟରେ ସେ ସୋନିଆ ଗାନ୍ଧୀ , ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କେ.ସି. ଭେନୁଗୋପାଳଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ତାଙ୍କ ଆଇନଗତ ଦଳ, ବିଶେଷକରି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏବଂ ମାମଲାରେ ତାଙ୍କ ପ୍ରତିନିଧିତ୍ୱ କରିଥିବା ଅନ୍ୟ ଆଇନଜୀବୀମାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସମଗ୍ର ମାମଲା ରାଜନୈତିକ ପ୍ରତିଶୋଧର ଏକ ଉଦାହରଣ।

ତାଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ କ୍ଷମତା ଶକ୍ତିର ଅପବ୍ୟବହାର କରାଯାଇଥିଲା। ତାଙ୍କ ମତରେ, ମାମଲାଟି କେବଳ ଆଇନଗତ ନୁହେଁ ବରଂ ଏକ ରାଜନୈତିକ ମାମଲା ମଧ୍ୟ ଥିଲା, ଯେଉଁଥିରେ ତାଙ୍କ ସ୍ୱାଧୀନତା ଉପରେ ଆଘାତ ଦେବାକୁ ଚେଷ୍ଟା କରାଯାଇଥିଲା। ଏହି ରାୟ କେବଳ ତାଙ୍କ ପାଇଁ ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ଗଣତନ୍ତ୍ର ଏବଂ ସମ୍ବିଧାନରେ ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ଏକ ବାର୍ତ୍ତା। କୌଣସି ଗଣତାନ୍ତ୍ରିକ ଦେଶରେ ରାଜନୈତିକ କାରଣରୁ ବ୍ୟକ୍ତିଗତ ସ୍ୱାଧୀନତାକୁ ଦମନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।