ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଲଗାତାର ୧୩ ଦିନ ଧରି ଯୁଦ୍ଧ ଚାଲିଛି । ଉଭୟ ଦେଶ ପରସ୍ପରକୁ କଡା ଜବାବ ଦେବାରେ ଲାଗିଛନ୍ତି । ଉଭୟ ଦେଶର ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ଫସିରହିଛନ୍ତି । ସେପଟେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେଶନ ଗଙ୍ଗା ଆରମ୍ଭ କରିଛନ୍ତି । ଯେଉଁଥିରେ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିସାରିଛନ୍ତି । ଏହା ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୁମିରେ ଫସି ରହିଥିବା ଛାତ୍ରମାନଙ୍କ ବିଷୟରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏଥି ସହିତ, ୟୁକ୍ରେନରେ ଖରାପ ଅବସ୍ଥା ଏବଂ ମାନବିକ ସଙ୍କଟକୁ ତୁରନ୍ତ ଧ୍ୟାନ ଦେବା ଉଚିତ ବୋଲି ଭାରତ ଅନୁରୋଧ କରିଛି। ସେପଟେ ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ଉପରେ ଭାରତ ଗଭୀର ଉଦବେଗ ପ୍ରକାଶ କରିଛି। ଏଥିପାଇଁ ଉଭୟ ୟୁକ୍ରେନ ଏବଂ ରୁଷକୁ ଭାରତ ଦାୟୀ କରିଛି । ଏନେଇ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ତଥା ଜାତିସଂଘ ସୁରକ୍ଷା ପରିଷଦର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୁର୍ତ୍ତୀ କହିଛନ୍ତି, “ଆମେ ଗଭୀର ଭାବରେ ଚିନ୍ତିତ ଯେ ଉଭୟ ପକ୍ଷଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ସୁମିରେ ଫସି ରହିଥିବା ଛାତ୍ରମାନଙ୍କ ପାଇଁ କୌଣସି ସୁରକ୍ଷିତ କରିଡର ନାହିଁ।

ୟୁକ୍ରେନର ଅବସ୍ଥା ଖରାପ ହେବା ସହ ମାନବିକ ସଙ୍କଟ ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ଜାତିସଂଘର ଆକଳନ ଅନୁଯାୟୀ ଗତ ୧୧ ଦିନ ମଧ୍ୟରେ ୧୫ ଲକ୍ଷ ଶରଣାର୍ଥୀ ୟୁକ୍ରେନର ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶକୁ ଭାରତ ମାନବିକ ସହାୟତା ପଠାଇ ସାରିଛି। ଏଥିମଧ୍ୟରେ ଔଷଧ, ତମ୍ବୁ, ଜଳ ସଂରକ୍ଷଣ ଟ୍ୟାଙ୍କ, ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଅନ୍ତର୍ଭୁକ୍ତ ବୋଲି ଭାରତର ସ୍ଥାୟୀ ପ୍ରତିନିଧୀ ତଥା ଜାତିସଂଘ ସୁରକ୍ଷା ପରିଷଦର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୁର୍ତ୍ତୀ କହିଛନ୍ତି । ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପ୍ରାୟ ୩୫ ମିନିଟ ଫୋନରେ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର ପାଇଁ ୟୁକ୍ରେନ ସରକାର ଦେଇଥିବା ସହାୟତା ପାଇଁ ପିଏମ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଶଂସା କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ରୁଷର ରାଷ୍ଟ୍ରପତିଙ୍କୁ ସିଧାସଳଖ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ଅନୁରୋଧ କରିଛନ୍ତି। ଭାରତରେ ଥିବା ରୁଷ ଦୂତାବାସ ଏକ ବିବୃତ୍ତି ଜାରି କରି କହିଛନ୍ତି, “ରୁଷୀୟ ସୈନିକମାନେ ସୁମିରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ଜ୍ଝ ତାଙ୍କ ଦେଶବାସୀଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।