୩ଟି ଏକାଡେମୀରେ ନାହାଁନ୍ତି ମୁଖିଆ

ସତ୍ୟପାଠ ବ୍ୟୁରୋ : ରାଜ୍ୟର ୩ଟି ଏକାଡେମୀରେ ସଭାପତି, ଉପସଭାପତି ଓ ସଚିବ ପଦ ଖାଲି ପଡିଛି । କେତେକ ପଦବୀରେ ଅଫିସର ମାନେ ଦାୟିତ୍ୱ ରହିଛନ୍ତି । ଆଉ କେତେକ ପଦବୀ ପାଇଁ ପ୍ରାର୍ଥୀ ଖୋଜା ଚାଲିଛି ।

କଂଗ୍ରେସ ବିଧାୟକ ସି.ଏସ୍ ରାଜନ ଏକ୍କାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଓଡ଼ିଶା ସାହିତ୍ୟ ଏକାଡେମୀରେ ସଭାପତି ଭାବେ ଡ. ହରିହର ମିଶ୍ରଙ୍କ କାର‌୍ୟ୍ୟକାଳ ସରିଥିବା ବେଳେ ନୂତନ ସଭାପତି ଆସିବା ପର‌୍ୟ୍ୟନ୍ତ ଶ୍ରୀ ମିଶ୍ର ଏହି ଦାୟିତ୍ୱ ସମ୍ଭାଳୁଛନ୍ତି । ଉପସଭାପତି ଓ ସଚିବ ପଦ ବି ଏହି ଅନୁଷ୍ଠାନରେ ଖାଲି ପଡ଼ିଛି । ଉପସଭାପତି ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ସଚିବ ଦାୟିତ୍ୱ ତୁଲାଉଛନ୍ତି ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଡ. ଜୟନ୍ତୀ ରଥ ।

ସେହିଭଳି ଓଡ଼ିଶା ଲଳିତକଳା ଏକାଡେମୀର ଉପସଭାପତି ଓ ସଚିବ ପଦ ଖାଲି ପଡ଼ିଛି । ଉପସଭାପତି ପଦ ଲାଗି ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ସଚିବ ପଦବୀରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ମନସ୍ୱିନୀ ସାହୁ ଅସ୍ଥାୟୀ କାର‌୍ୟ୍ୟ ତୁଲାଉଛନ୍ତି । ଏହି ଦୁଇ ପଦବୀ ପୂରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉଭୟ ସଭାପତି ଓ ଉପସଭାପତି ପଦ ଖାଲି ପଡ଼ିଛି । ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ରାମକୃଷ୍ଣ ସାହୁ ସଙ୍ଗୀତ ନାଟକ ଏକାଡେମୀର ସଭାପତି ଦାୟିତ୍ୱରେ ଅଛନ୍ତି । ଏହି ଏକାଡେମୀର ଦୁଇଟିଯାକ ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଖାଲିଥିବା ପଦବୀରେ ଯେଉଁମାନେ କାମଚଳା ଦାୟିତ୍ୱରେ ଅଛନ୍ତି ସେମାନେ ସେଠାରେ ଅବସ୍ଥାପିତ ହେବାର କୌଣସି ବିଧି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

Related Posts