ନିମ ଗଛରେ ଏକା ସାଙ୍ଗରେ ଝୁଲି ପଡ଼ିଲେ ତିନି ଭଉଣୀ !

ଭୋପାଳ : ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଅଞ୍ଚଳରୁ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଏକା ସାଙ୍ଗରେ ୩ ଭଉଣୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଏକ ନିମ ଗଛରେ ତିନି ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତକଙ୍କ ନାମ ସୌନୁ, ସାବତ୍ରୀ ଓ ଲଳିତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ।

ମିଳିଥିବା ଖବର ଅନୁଯାୟୀ, ଖଣ୍ଡଓ୍ୱା ଜିଲ୍ଲାର ଏକ ଗାଁରେ ଜାମ୍‌ ସିଂହଙ୍କ ପରିବାର ରୁହନ୍ତି । କିଛି ଦିନ ତଳେ ଜାମ୍‌ ସିଂହଙ୍କ ମୃତ୍ୟୁ ହୋଇଯାଇଥିଲା । ଏବେ ତାଙ୍କ ଘରେ ପତ୍ନୀ ଓ ତିନି ଝିଅ ରୁହନ୍ତି । କିନ୍ତୁ ଗତ ରାତିରେ ମା ଅନ୍ୟ ଏକ ଘରେ ଶୋଇଥିବା ବେଳେ ତିନି ଝିଅ ଅଲଗା ରୁମ୍‌ରେ ଶୋଇଥିଲେ । ବିଳମ୍ବିତ ରାତିରେ ହଠାତ୍‌ ମାଆଙ୍କର ନିଦ ଭାଙ୍ଗିଯାଇଥିଲା । ସେ ଦେଖିଲା ବେଳକୁ ଝିଅମାନେ ଶୋଇଥିବା ରୁମ୍‌ ଖାଲି ପଡିଛି । ସେ ତୁରନ୍ତ ଘରର ମୁଖ୍ୟ ଦ୍ୱାର ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ତାହା ବାହାର ପଟୁ ବନ୍ଦ ଥିବାରୁ ଖୋଲିନଥିଲା । ଯାହାକୁ ନେଇ ମାଆ ବହୁ ଜୋରରେ ପାଟି କରିବାକୁ ଲାଗିଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଆସି ଘରର କବାଟ ଖୋଲିଥିଲେ ।

ତେବେ ମାଆ ଘରୁ ଦେଖନ୍ତି ତ , ତାଙ୍କ ତିନି ଝିଅଙ୍କ ଝୁଲନ୍ତା ମୃତଦେହ । ଘର ଆଗରେ ଥିବା ନିମ ଗଛରେ ଝୁଲନ୍ତା ଅବସ୍ଥାରେ ନିଜର ତିନି ଝିଅଙ୍କୁ ଦେଖିଥିଲେ । ଏହାଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ତିନି ଜଣ ଯୁବତୀ ଆତ୍ମହତ୍ୟା କରିଛନ୍ତି । ହେଲେ ଆତ୍ମହତ୍ୟାର କାରଣ , ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related Posts